ନୂଆଦିଲ୍ଲୀ: ନ୍ୟାସନାଲ୍ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ଏକ ଟିମ୍ ଉତ୍ତରପ୍ରଦେଶର ଆଗ୍ରାରୁ ବ୍ୟବହାର ନିଷେଧ ହୋଇଥିବା ଔଷଧର ବେଆଇନ କାରବାର କରୁଥିବା ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ କୋଟି ଟଙ୍କା ମୂଲ୍ୟର ବ୍ୟବହାର ଅନୁପଯୋଗୀ ଔଷଧ ବି ଜବତ କରିଛି । ଏହି ଔଷଧଗୁଡିକୁ ଚୋରାରେ ବିଦେଶ ପଠାଯାଉଥିବା କଥା ଏନସିବି କହିଛି । ସବୁଠାରୁ ବଡକଥା ହେଲା, ଏହି କାରବାରରେ ଜାଲ୍ ଦସ୍ତାବିଜ ବ୍ୟବହାର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏନସିବିର ଉପନିର୍ଦ୍ଦେଶକ କେପିଏସ ମାଲହୋତ୍ରାଙ୍କ ସୂଚନା ମୁତାବକ ଆଗ୍ରା, ବାଲିଆ ଓ ଦିଲ୍ଲୀରେ ଚଢାଉ କରି ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାମରେ ଅଭିଯୋଗ ରହିଛି କି ସେମାନେ ଭାରତ ସରକାରଙ୍କ ଦ୍ୱାରା ପ୍ରତିବନ୍ଧ ଲଗାଯାଇଥିବା ଔଷଧ କିଣି ତାହାକୁ ବେଆଇନ ଭାବେ ଆମେରିକା, ବ୍ରିଟେନ, ୟୁରୋପ ସମେତ ଅନେକ ଦେଶକୁ ଚୋରାରେ ଚାଲାଣ କରୁଛନ୍ତି । ଏ ନେଇ ହରିଦ୍ୱାରର ଏକ ଔଷଧ କମ୍ପାନୀ ଉପରେ ଚଢାଉ କରି ଏନସିବି ୩୦ ଲକ୍ଷରୁ ଅଧିକ ନିଶା ଔଷଧ ଓ ୭୦ ହଜାରରୁ ଅଧିକ କାଶ ଔଷଧ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ହେଲେ କୌଣସି ସୂତ୍ରରୁ ଚଢାଉ ହେଉଥିବାର ଖବର ପାଇଁ ଉକ୍ତ କମ୍ପାନୀର ମାଲିକ କେଉଁଆଡେ ଫେରାର୍ ହୋଇଯାଇଛି । ଏନସିବିର ସୂଚନା ମୁତାବକ ଦୀର୍ଘ ୩ ମାସର ପ୍ରଚେଷ୍ଟା ପରେ ଏହି ଅଭିଯାନକୁ ସଫଳତା ମିଳିଛି।