ଅପହୃତା ୨ ନାବାଳିକା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ୨ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରସୁଲଗଡ଼ ଜିଜିପି କଲୋନି ସ୍ଥିତ କିମ୍ଭିରିଆ ବସ୍ତିର ସତ୍ୟବାନ ସ୍ୱାଇଁ(୨୦) ଓ ଖୋର୍ଦ୍ଧା ଅଞ୍ଚଳର ଆକାଶ ନାୟକ(୧୮)। ପୁଲିସ ଅପହୃତା ୨ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଛି। ପୁଲିସ ସୂଚନା ମୁତାବକ, କିଛିଦିନ ହେବ ସତ୍ୟବାନ ସେହିବସ୍ତିର ଜଣେ ନାବାଳିକାଙ୍କୁ ଏକ ତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କୁ ହଇରାଣ ହରକତ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ନାବାଳିକା ଜଣଙ୍କ ସତ୍ୟବାନ କଥାରେ ରାଜି ନହେବାରୁ ସତ୍ୟବାନ ପ୍ରତିଶୋଧ ପରାୟଣ ହୋଇ ସୁଯୋଗକୁ ଅପେକ୍ଷା କରିଥିଲା। ତେବେ ଗତ ୧୨ ତାରିଖ ଦିନ ନାବାଳିକାଙ୍କୁ ଘରେ ଏକୁଟିଆ ପାଇଁ ସତ୍ୟବାନ ଅପହରଣ କରି ମଞ୍ଚେଶ୍ୱର ସ୍ଥିତ ଏକ ଘରେ ରଖିଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ନାବାଳିକା ଓ ସତ୍ୟବାନ ମଞ୍ଚେଶ୍ୱର ସ୍ଥିତ ଘରେ ଥିବା ଠିକଣା ଠାବ ପରେ ଆଜି ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ସତ୍ୟବାନକୁ ଗିରଫ କରିଥିଲା। ସେହିପରି ଆକାଶ ମଧ୍ୟ ରଙ୍ଗମାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲପାଇଥିଲା। ଆଉ ସମାନ ଢଙ୍ଗରେ ଗତ ୧୫ ତାରିଖରେ ନାବାଳିକାଙ୍କୁ ଅପହରଣ କରି ଖୋର୍ଦ୍ଧା ସ୍ଥିତ ଘରେ ରଖିଥିଲା। ନାବାଳିକାଙ୍କ ପରିବାରଲୋକ ଅଭିଯୋଗ ପରେ ପୁଲିସର ଏକ ଟିମ୍‌ ଆଜି ଖୋର୍ଦ୍ଧା ସ୍ଥିତ ଆକାଶ ଘରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର