ପୂର୍ବତନ କ୍ରିକେଟର୍‌ ମନୋଜ ପ୍ରଭାକରଙ୍କ ପତ୍ନୀ ତଥା ବଲିଉଡ ନାୟିକାଙ୍କଠାରୁ ଲୁଟ୍‌ପାଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସାକେତରେ ନବେ ଦଶକର ଜଣାଶୁଣା ନାୟିକା ତଥା ପୂର୍ବତନ କ୍ରିକେଟର୍‌ ମନୋଜ ପ୍ରଭାକରଙ୍କ ପତ୍ନୀ ଫରହିନ୍‌ଙ୍କୁ ମାଡ଼ ମାରି ଲୁଟିଥିବା ଜଣାଯାଇଛି। ଏହି ଅସାମାଜିକ ବ୍ୟକ୍ତିମାନେ ଫରହିନ୍‌ ପ୍ରଭାକରଙ୍କ ମୁଣ୍ଡରେ ଆଘାତ ଦେଇ ତାଙ୍କଠାରୁ ପର୍ସର୍ ଓ ମୋବାଇଲ୍‌ ଫୋନ୍‌ ଚୋରି କରିନେଇ ପଳାଇଲେ। ଏକଥା ଦେଖି ଫରହିନ୍‌ ବଦମାସମାନଙ୍କର ପିଛା କରିଥିଲେ। ଠିକ୍‌ ସେହି ସମୟରେ ଫରହିନ୍‌ ଆଜ୍‌ମା ଦ୍ୱାରା ଆକ୍ରାନ୍ତ ହେଲେ । କିନ୍ତୁ ତାଙ୍କର ସହାୟତା କରିବାକୁ କେହି ବି ଆଗେଇ ଆସି ନ ଥିଲେ, ବରଂ ଲୋକେ ତାମସା ଦେଖିଥିଲେ। ଆହୁରି ଆଶ୍ଚର୍ଯ୍ୟର ବିଷୟ ଯେ, ପୁଲିସ ଲୁଟପାଟ୍‌ର ଧାରା ନ ଲଗାଇ କେବଳ ଚୋରିର ଧାରା ଲଗାଇଲା ଏତଲାରେ।

ଫରହିନ୍‌ ପ୍ରଭାକର ଶନିବାର ସକାଳ ସାଢେ ୧୨ଟା ବେଳେ କାରରେ ସିଲେକ୍ଟ ସିଟି ମଲକୁ ଯାଇଥିଲେ। ମାକ୍ସ ହସ୍ପିଟାଲ ସାମ୍ନାରେ ଚାରିଜଣ ଯୁବକ ଆସି ତାଙ୍କ ଗାଡ଼ିକୁ ଜୋରରେ ପିଟିଲେ। ଏହାପରେ ଫରହିନ୍‌ କାର୍‌ ରଖିଥିଲେ। ସେଠାରେ ଯୁବକମାନଙ୍କ ସହ ତାଙ୍କର ପାଟିତୁଣ୍ଡ ହେଲା ଓ ସେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ। ତା’ପରେ ସେଠାରୁ ସେମାନେ ଫରହିନ୍‌ ମୁଣ୍ଡରେ ଆଘାତ ଦେଇ ତାଙ୍କ ଠାରୁ ମୋବାଇଲ ଫୋନ୍‌ ଓ ପର୍ସ ଚୋରି କରି ନେଇଥିଲେ। ବ୍ୟାଗରେ ପ୍ରାୟ ୧୫ ହଜାର ଟଙ୍କା ଓ କିଛି ସୁନା ଗହଣା ଥିଲା। ତା’ପରେ ଜଣେ ଲୋକଙ୍କଠାରୁ ମୋବାଇଲ୍‌ ଆଣି ସେ ପିସିଆର୍‌କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର