ମହିଳା ବ୍ୟାଙ୍କ ଅଧିକାରୀଙ୍କଠାରୁ ୨୫ ଲକ୍ଷ ଠକେଇ, ହାଇଦ୍ରାବାଦରୁ ଗିରଫ ହେଲା ଠକ

ଚନ୍ଦ୍ରଶେଖରପୁର : ପ୍ରଥମେ ଦେଖା ସାକ୍ଷାତ, ତା’ ପରେ ବନ୍ଧୁତା। ବନ୍ଧୁତା ଜାଲରେ ଫସାଇ ଜଣେ ଯୁବତୀଙ୍କ ସହ ଦୁଇ ବର୍ଷ ଧରି ସଂପର୍କ ବଢ଼ାଇ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ହାଇଦ୍ରାବାଦରୁ ଜଣେ ଠକ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଉଛନ୍ତି ରାକେଶ କୁମାର ପାତ୍ର(୨୯)। ରାକେଶ ଘର ବ୍ରହ୍ମପୁର ତ୍ରୀନାଥ ନିବାସ ହାଉସିଂ ବୋର୍ଡରେ। ରାକେଶ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଜିଏ କଲୋନିରେ ରହୁଥିବା ଜଣେ ଯୁବତୀଙ୍କ ସହ ବନ୍ଧୁତ୍ବ ସମ୍ପର୍କ ବଢ଼ାଇଥିଲେ। ଯୁବତୀଜଣକ ‌ସ୍ଥାନୀୟ ଏକ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ହୋଇଥିବାରୁ ରାକେଶ ତାଙ୍କୁ ନିଜ ପରିବାରର ସମସ୍ୟା ନେଇ ୨୫ ଲକ୍ଷ ଟଙ୍କା ମାଗିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବାରୁ ସେ ବ୍ୟାଙ୍କରୁ ଲୋନ୍ ଆଣି ରାକେଶଙ୍କୁ ନଗଦ ୨୫ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ରାକେଶ ଆଉ ଯୁବତୀଙ୍କ ସହ ସମ୍ପର୍କ ରଖି ନଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ରାକେଶ ନିଜର ମୋବାଇଲ୍ ନମ୍ବର ବଦଳାଇ ତାଙ୍କୁ ଠକିବାପାଇଁ ଉଦ୍ୟମ କରିଥିଲେ। ଏନେଇ ଯୁବତୀ ଗତ ସେପ୍ଟେମ୍ବର ମାସ ୧୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତିକରି ପୁଲିସ୍ ଅଭିଯୁକ୍ତର ଠିକଣା ପାଇବା ପାଇଁ ଚେଷ୍ଟାକରି ବ୍ରହ୍ମପୁରରେ ପହଞ୍ଚିଥିଲା। ପରେ ତାଙ୍କ ପରିବାର ଲୋକଙ୍କ ମୋବାଇଲ୍ ନମ୍ବର ଟ୍ରାକ୍ କରି ହାଇଦ୍ରାବାଦରେ ରାକେଶର ରହିବା ଠିକଣା ଜାଣିବାକୁ ପାଇଥିଲା। ଗତ ୪ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ର ଏକ ଦଳ ହାଇଦ୍ରାବାଦ ଯାଇ ସେଠାକାର ପୁଲିସ୍ ସହଯୋଗରେ ଅଭିଯୁକ୍ତ ରାକେଶକୁ ଗିରଫ କରି ଆଣିଛି। ଆଜି ସଂଧ୍ୟାରେ ତାକୁ କୋର୍ଟ ଚାଲଣ କରାଯାଇଛି। ଠକେଇ ଟଙ୍କା କୁଆଡ଼େ ଗଲା ଜାଣିବା ଲାଗି ରାକେଶକୁ ପୁଲିସ୍ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର