କାଗଜପତ୍ର‌ରେ ଜାଲିଆତି, ସିଆରପିଏଫ୍‌ ସାକ୍ଷାତକାର ବେଳେ ଯୁବକ ଗିରଫ

ଭୁବନେଶ୍ବର: କାଗଜପତ୍ର‌ରେ ଜାଲିଆତି କରି ସିଆର୍‌ପିଏଫ୍‌ କନଷ୍ଟେବଲ୍‌ ପଦ ପାଇଁ ସାକ୍ଷାତକାର ଦେବାକୁ ଆସିଥିବା ଜଣେ ଯୁବକଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲେ, ଉତ୍ତରପ୍ରଦେଶର କରଣ ସିଂହ। ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ସିଆର୍‌ପିଏଫ୍‌ କନଷ୍ଟେବଲ୍‌ ପଦ ପାଇଁ ଭୁବନେଶ୍ବରସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପସରେ ଲିଖିତ ପରୀକ୍ଷା ଥିଲା। ଜାତିଗତ ଓ ଆବାସିକ ପ୍ରମାଣପତ୍ରରେ ଜାଲିଆତି କରି କରଣ ନିଜକୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବୋଲି ଦର୍ଶାଇଥିଲା। ଖାଲି ସେତିକି ନୁହେଁ, ଲିଖିତ ପରୀକ୍ଷାରେ ମଧ୍ୟ ସେ ଅନ୍ୟଜଣେ ଯୁବକଙ୍କୁ ବସାଇଥିଲା। ପରେ ଶାରୀରିକ ପରୀକ୍ଷା ପାଇଁ କରଣଙ୍କୁ ୫ ତାରିଖରେ କ୍ୟାମ୍ପସରେ ହାଜର ହେବାକୁ ସିଆର୍‌ପିଏଫ୍‌ ପକ୍ଷରୁ ଚିଠି ଯାଇଥିଲା। ନିଜେ ପରୀକ୍ଷା ଦେବାକୁ ଯାଇ କରଣ ଧରା ପଡ଼ି ଯାଇଥିଲେ। ଯାଞ୍ଚ ବେଳେ କରଣଙ୍କ ମୁହଁ ପୂର୍ବରୁ ଲିଖିତ ପରୀକ୍ଷା ଦେଇଥିବା ବ୍ୟକ୍ତିଙ୍କ ସହ ମିଶି ନଥିଲା। ଫଳରେ କରଣର ସମସ୍ତ ଯୋଜନା ପଣ୍ଡ ହୋଇଥିଲା। ଘଟଣା ବିଷୟରେ ଜଣାପଡ଼ିବା ପରେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଅଚ୍ୟୁତାନନ୍ଦ ନୂଆପଲ୍ଲୀ ଥାନା ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାକୁ ଆଜି କୋର୍ଟଚାଲାଣ କରାଯାଇଛି। ତେବେ ଅନ୍ୟ ଯୁବକଙ୍କ ବିଷୟରେ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର