ଦୁଇ ଯୁବତୀଙ୍କ ବୟାନ ରେକର୍ଡ କଲା ପୁଲିସ

ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଓ ଲୁଟ୍‌ ଘଟଣା

ଭୁବନେଶ୍ୱର: ସୋସିଆଲ ମିଡିଆରୁ ସମ୍ପର୍କ ଯୋଡ଼ିବା ପରେ ପ୍ରେମ ଜାଲରେ ଫସାଇ ୨ଯୁବତୀଙ୍କୁ ଦୁଷ୍କର୍ମ ଓ ଲୁଟ୍‌ କରିବା ଘଟଣାରେ ଆଜି ଧୋକାବାଜ୍‌ ପ୍ରେମିକ ସୌମ୍ୟରଂଜନ ସାହୁ ନାଁରେ ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରାଯାଇଛି। ଦୁଇ ଥାନା ପୁଲିସ ଯୁବତୀ ଦ୍ୱୟଙ୍କ ବୟାନ ରେକର୍ଡ କରିବା ସହିତ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀ ମାଇନା ମଧ୍ୟ କରାଇଛି। ଅନ୍ୟପକ୍ଷରେ ପୁଲିସ ଏବେ ସୌମ୍ୟଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିପାଇଁ ପୁଲିସର ଏକ ଟିମ୍‌ ଅନୁଗୁଳ ମଧ୍ୟ ଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ସୌମ୍ୟରଂଜନ ଏକାଧିକ ଯୁବତୀଙ୍କୁ ତା ଜାଲ ଫସାଇ ଦୁଷ୍କର୍ମ କରିବା ସହିତ ଟଙ୍କା, ସୁନଗହଣା ଲୁଟି ନେଇଥାଏ। ତା’ ପ୍ରେମ ଜାଲରେ ପଡ଼ି ସର୍ବସ୍ୱ ହରାଇ ଥିବା ଦୁଇ ଜଣ ଯୁବତୀ ଏ ନେଇ ଗତକାଲି ରାଜଧାନୀର ଚନ୍ଦ୍ରଶେଖରପୁର ଓ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ପଦାକୁ ଆସିଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଦୁଇ ଜଣ ଯୁବତୀ ଏଭଳି ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସୌମ୍ୟରଂଜନ କିପରି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଓ ଲୁଟପାଟ କରୁଥିଲା ଯୁବତୀ ଦ୍ୱୟଙ୍କଠାରୁ ସେସବୁ ତଥ୍ୟ ସଂଗ୍ରହ ହୋଇଛି। ଯୁବତୀମାନଙ୍କୁ ସେ ବିବାହ କରିଥିବା କାଗଜପତ୍ର, ହୋଟେଲରେ ରହିଥିବା ରୁମ୍‌ର କାଗଜପତ୍ର ଆଦି ତଦନ୍ତ ପରିସରଭୁକ୍ତ ହେବ। ଗତକାଲି ୟୁନିଟ-୯ ଓ ଶୈଳଶ୍ରୀବିହାର ଦୁଇ ଯୁବତୀ ଏ ନେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ଫାଉଣ୍ଡେସନ୍‌କୁ ଜଣାଇଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିଲା।

 

ସମ୍ବନ୍ଧିତ ଖବର