ରାଜଧାନୀରେ ଚାଞ୍ଚଲ୍ୟ: ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ୍‌ କଲେଜର ଜଣେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିଥିବା ଅଭିଯୋଗକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏ ନେଇ ଛାତ୍ରୀ ଜଣକ ଅଭିଯୋଗ କରିବା ପରେ ଆଟେଣ୍ଡାଣ୍ଟ୍‌ ମନୋଜ ଖଟୁଆ(୨୪)କୁ ପୁଲିସ ଗିରଫ କରିଛି। ମନୋଜର ଘର କଟକ ଜିଲ୍ଲା ଆଠଗଡ଼ ମୁଣ୍ଡୁଳିରେ। ପାଖାପାଖି ବର୍ଷେ ହେବ ସେ ଏହି କଲେଜରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିଲା। ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଖବର ପ୍ରଚାରିତ ହେବା ପରେ ଗତକାଲି ବିଳମ୍ବିତ ରାତିରେ କ୍ୟାମ୍ପସ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କୃଷ୍ଣ ପ୍ରସାଦ ମିଶ୍ର କଲେଜରେ ପହଞ୍ଚିଥିଲେ ଏବଂ ପୁଲିସ ରାତାରାତି ଅଭିଯୁକ୍ତ ମନୋଜକୁ ଘରୁ ଉଠାଇ ଆଣିଥିଲା। ଆସନ୍ତାକାଲି ମନୋଜକୁ କୋର୍ଟ ଚାଲାଣ କରାଯିବ। ତେବେ ଗିରଫ ହେବା ପରେ ମନୋଜ ମିଛ ଅଭିଯୋଗରେ ତା’କୁ ଫସାଇ ଦିଆଯାଇଥିବା ପ୍ରକାଶ କରିଛି। ତେଣୁ ଛାତ୍ରୀ ଓ ଅଭିଯୁକ୍ତ ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ କିଏ ସତ କହୁଛନ୍ତି ତାହା ପୁଲିସକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି।

ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, କଲେଜର ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ର‍୍ୟାମ୍ପ୍‌ ସୋ’ ପାଇଁ ଗତକାଲି ରାତିରେ ରିହର୍ସଲ ଚାଲିଥିଲା। ଛାତ୍ରୀ ଜଣକ ଏହି ରିହର୍ସଲରେ ଯୋଗ ଦେବାକୁ ଯାଇଥିଲେ। ରାତି ପ୍ରାୟ ୯ଟାବେଳେ ସେ ରହର୍ସଲରୁ ଫେରି ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଏକ ଅନ୍ଧାରିଆ ସ୍ଥାନରେ ଗପସପ ହେଉଥିଲେ। ଏହି ସମୟରେ ଆଟେଣ୍ଡାଣ୍ଟ୍‌ ମନୋଜ ସେଠାରେ ପହଞ୍ଚି ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଧମକଚମକ ଦେବା ସହିତ ଏ ନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଥିଲା। ଏହାପରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ବିଦା କରି ଦେଇ ମନୋଜ ଛାତ୍ରୀଙ୍କୁ ହଷ୍ଟେଲରେ ଛାଡ଼ି ଦେବ କହି ତା’ ରୁମ୍‌କୁ ନେଇ ଯାଇଥିଲା ଏବଂ ସେଠାରେ କବାଟ ଭିତର ପଟୁ ବନ୍ଦ କରି ଜବରଦସ୍ତ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ଛାତ୍ରୀ ଜଣକ ମନୋଜକୁ ଧକ୍‌କା ମାରି ରୁମ୍‌ ବାହାରକୁ ବାହାରି ଆସିବା ସହ ହଷ୍ଟେଲକୁ ପଳାଇ ଆସିଥିଲେ। ଏ ନେଇ ପ୍ରଥମେ ସେ ନିଜ ରୁମ୍‌ ମେଟ୍‌ଙ୍କୁ କହିଥିଲେ ଏବଂ ପରେ ଜଣେ ସିନିଅର ଛାତ୍ରଙ୍କୁ ହଷ୍ଟେଲକୁ ଡାକି ସେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଆଉ ଏହି ଘଟଣା ପ୍ରଚାରିତ ହୋଇଯିବା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେତେବେଳକୁ ସମୟ ରାତି ପ୍ରାୟ ୨ଟା ବାଜି ଯାଇଥିଲା। ଖବର ପାଇ ହାଇଟେକ୍‌ କର୍ତୃପକ୍ଷ ଓ ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କଲେଜରେ ପହଞ୍ଚିଥିଲେ। ରାତି ପ୍ରାୟ ୩ଟାବେଳେ ଏ ନେଇ ଛାତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଆଟେଣ୍ଡାଣ୍ଟ ମନୋଜକୁ ସେ କ୍ୟାମ୍ପସ ଭିତରେ ରହୁଥିବା ଘରୁ ଗିରଫ କରିଥିଲା। ପୁଲିସ ପୀଡ଼ିତା ଓ ଅଭିଯୁକ୍ତକୁ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀ ମାଇନା ମଧ୍ୟ କରାଇଛି। ଏହାଛଡ଼ା ସିଆରପିସିର ଧାରା ୧୬୧ ଓ ୧୬୪ ଅନୁଯାୟୀ ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି ବୋଲି ଇନ୍ସପେକ୍ଟର ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀଙ୍କ ଘର ସମ୍ବଲପୁରରେ ହୋଇଥିବାବେଳେ ତାଙ୍କ ପୁରୁଷ ବନ୍ଧୁଙ୍କ ଘର ବଲାଙ୍ଗୀରରେ। ଦୁହେଁ ହାଇଟେକ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର।

ପୁରୁଷ ବନ୍ଧୁ ସହିତ ଅନୈତିକ କାର୍ଯ୍ୟ ଦେଖିଦେବାରୁ ମୋତେ ଫସାଇଦେଲେ: ଅଭିଯୁକ୍ତ

ଦୁଷ୍କର୍ମ ଅଭିଯୋଗକୁ ଅଭିଯୁକ୍ତ ଆଟେଣ୍ଡାଣ୍ଟ୍‌ ମନୋଜ ଦୃଢ଼ ଭାବେ ଖଣ୍ଡନ କରିଛି। ପୁଲିସ ତା’କୁ ଗିରଫ କରିବା ପରେ ସେ ଏ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତା’କୁ ଫସାଇ ଦିଆଯାଇଥିବା ପ୍ରକାଶ କରିଛି। ମନୋଜର କହିବା କଥା ହେଲା, ଡାକ୍ତରୀ ଛାତ୍ରୀ ଜଣକ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ଅସଂଯତ ଅବସ୍ଥାରେ ଥିଲେ। ମୁଁ ଏହା ଦେଖି କଲେଜ ଅଧ୍ୟକ୍ଷଙ୍କୁ ଜଣାଇଦେବି ବୋଲି କହିଥିଲି। ତେଣୁ ବଦନାମ୍‌ ହେବା ଭୟରେ ଛାତ୍ରୀ, ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ କେତେକ ଛାତ୍ର ମିଶି ତା’ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କୃଷ୍ଣ ପ୍ରସାଦ ମିଶ୍ର କହିଛନ୍ତି ଯେ ଛାତ୍ରୀ ଜଣକ ଅଭିଯୋଗ କରିବା ପରେ ଆମେ ଆଟେଣ୍ଡାଣ୍ଟ ମନୋଜକୁ ଗିରଫ କରିଛୁ। ମନୋଜ ମଧ୍ୟ ପୁଲିସ ଆଗରେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛି। କିନ୍ତୁ ଛାତ୍ରୀଙ୍କ ଡାକ୍ତରୀ ମାଇନା ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ତାଙ୍କୁ ଦୁଷ୍କର୍ମ ହୋଇଛି କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇଯିବ।

ଫଟୋ ଦେଖି ମନୋଜକୁ ଚିହ୍ନିଲେ ଛାତ୍ରୀ

ଛାତ୍ରୀଙ୍କ ଏଭଳି ଅଭିଯୋଗକୁ ପ୍ରଥମେ କଲେଜ କର୍ତୃପକ୍ଷଙ୍କ ସମେତ ଅନ୍ୟମାନେ ବିଶ୍ୱାସ କରି ପାରି ନ ଥିଲେ। କାରଣ ଛାତ୍ରୀ ଜଣକ ତାଙ୍କ ବୟାନ ବାରମ୍ବାର ବଦାଳଉଥିଲେ। ପୁଲିସର ମଧ୍ୟ ସନ୍ଦେହ ହୋଇଥିଲା। ସତ ଜାଣିବା ଲାଗି ପୁଲିସ ଓ କଲେଜ କର୍ତୃପକ୍ଷ ହାଇଟେକ୍‌ ମେଡିକାଲ କଲେଜର କେତେକ ଆଟେଣ୍ଡାଣ୍ଟଙ୍କ ଫଟୋ ଦେଖାଇଥିଲେ। ଆଉ ଛାତ୍ରୀ ଜଣକ ମନୋଜକୁ ଚିହ୍ନଟ କରିବା ପରେ ପୁଲିସ ବିଶ୍ୱାସ କରିବା ସହିତ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର