ବିଦେଶିନୀଙ୍କ ବିରୋଧରେ ମାମଲା ପାଇଁ ପ୍ରକ୍ରିୟା ଆରମ୍ଭ

ହେଭେନ୍‌ ସ୍ପା ନାଁରେ ସେକ୍ସର‍୍ୟାକେଟ୍‌ ଘଟଣା

ଭୁବନେଶ୍ୱର : ଖାରବେଳନଗର ଥାନା ଅଧୀନରେ ଥିବା ହେଭେନ୍‌ ସ୍ପା’ରୁ ସେକ୍ସ ର‍୍ୟାକେଟ୍‌ ଠାବ ଘଟଣାରେ ଗିରଫ ହୋଇଥିବା ୩ ଥାଇଲାଣ୍ଡ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ଜବତ ହୋଇଥିବା ପାସପୋର୍ଟ ଏବଂ ଭିସାକୁ ଆଧାର କରି କମିସନରେଟ୍‌ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ରାଜ୍ୟ ପୁଲିସର ସ୍ୱତନ୍ତ୍ର ଶାଖାକୁ ଚିଠି ଲେଖିଛି। ପର୍ଯ୍ୟଟନ ଭିସାରେ ଓଡ଼ିଶାକୁ ଆସି ଏହି ୩ ବିଦେଶିନୀ ସ୍ପା’ରେ ଦେହ ବ୍ୟବସାୟ କରୁଥିଲେ। ଆଇନତଃ ଦୋଷୀ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କମିସନର୍‌ କହିଛନ୍ତି। ସ୍ୱତନ୍ତ୍ର ଶାଖାରୁ ଭିସା ସମ୍ପର୍କିତ ତଥ୍ୟ ହସ୍ତଗତ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ ଖାରବେଳନଗରର ହେଭେନ୍‌ ସ୍ପା’ ଚାଲୁଥିବା ବହୁତଳ କୋଠା ଘରର ମାଲିକଙ୍କ ସମ୍ପର୍କରେ କମିସନରେଟ୍‌ ପୁଲିସ ଅଧିକ ଖୋଳତାଡ଼ କରୁଛି। ବିଡିଏ ଏବଂ ବିଏମସିକୁ ଉକ୍ତ କୋଠା ଘର ସମ୍ପର୍କରେ ତଥ୍ୟ ମଗାଯାଇଛି। ଏହି ତଥ୍ୟ ମିଳିବା ପରେ ଘର ମାଲିକଙ୍କୁ ଖାରବେଳନଗର ଥାନା ପୁଲିସ ପଚରାଉଚରା କରିବ ବୋଲି ଜଣାପଡିଛି। ଉକ୍ତ ଘରକୁ ଭଡ଼ା ସୂତ୍ରରେ ନେଇଥିବା ପିପିଲି ଅଞ୍ଚଳର ଶ୍ରୀନିବାସ ନନ୍ଦକୁ ପୁଲିସ ଗିରଫ କରିବାକୁ ତନାଘନା ଚଳାଇଛି। ଶ୍ରୀନିବାସ ଉକ୍ତ ଘରକୁ କେଉଁ ଉଦ୍ଦେଶ୍ୟରେ ଭଡ଼ା ନେଇଥିଲେ, ସେ ସମ୍ପର୍କରେ ଘର ମାଲିକଙ୍କୁ ପଚରାଉଚରା କରିବ। ଘର ମାଲିକଙ୍କୁ ଏନେଇ କମିସନର୍‌ଙ୍କ କୋର୍ଟରୁ ନୋଟିସ ଜାରି କରାଯିବ। ଘର ମାଲିକ ଉପଯୁକ୍ତ ଜବାବ ଦାଖଲ ନ କରିପାରିଲେ ଉକ୍ତ ଘରକୁ ସିଲ କରିବା ସହ ବେଶ୍ୟାଳୟ ଘୋଷଣା କରାଯିବ ବୋଲି କମିସନର୍‌ ଶ୍ରୀ ଖୁରାନିଆ କହିଛନ୍ତି।

ସମ୍ବନ୍ଧିତ ଖବର