ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ

ଭିଡିଓ ଭାଇରାଲ୍‌ ଧମକ ଦେଇ ବ୍ଲାକ୍‌ମେଲିଂ

ଖଣ୍ଡଗିରି: ପ୍ରଥମେ ନାବାଳିକାକୁ ଫୁସୁଲାଇ ପ୍ରେମ ଜାଲରେ ପକାଇଲା ଅଭିଯୁକ୍ତ। ପରେ ଦୁଷ୍କର୍ମ କରି ଚାଲିଲା। ସୁଯୋଗ ନେଇ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ସୁଟ୍‌ କଲା। ବାସ୍‌ ତା’ ପରେ ଆରମ୍ଭ ହେଲା ବ୍ଲାକ୍‌ମେଲିଂ। ନିଜ ବନ୍ଧୁ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା। ଭିଡିଓ ଭାଇରାଲ ହେବା ଭୟରେ ନାବାଳିକା ଜଣକ ରାଜି ହେବାକୁ ବାଧ୍ୟ ହୋଇଥିଲା। ଦୁଇ ବର୍ଷ କାଳ ନାବାଳିକାଙ୍କୁ ଏମିତି ହନ୍ତସନ୍ତ କରିବା ପରେ ବି ପିଶାଚଦ୍ୱୟଙ୍କ ମନ ବୁଝି ନଥିଲା। ମଉଜ ମସ୍ତି ପାଇଁ ସେମାନେ ନାବାଳିକାଙ୍କୁ ସେମାନଙ୍କ ସାଥୀରେ ବାହାରକୁ ଯିବାକୁ ବାଧ୍ୟ କଲେ। ଫଳରେ ନାବାଳିକାଙ୍କ ସହିବାର ସବୁ ସୀମା ଟପି ଯାଇଥିଲା। ଶେଷରେ ସେ ଆଇନର ଆଶ୍ରୟ ନେଲେ। ତମାଣ୍ଡୋ ଥାନା ପୁଲିସ ଗୁରୁବାର ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଦେଉଳିପାଟଣା ଗାଁର ବିନୋଦଚନ୍ଦ୍ର ସାହୁ(୩୫) ଓ କଟକ ଆଠଗଡ଼ ବେଣ୍ଟପଡ଼ାର ପବିତ୍ର ପଣ୍ଡା(୩୮)। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାରରେ ରହୁଥିବା ଜଣେ ୧୭ ବର୍ଷିଆ ନାବାଳିକାକୁ ସେହି ଅଞ୍ଚଳରେ ଫେବ୍ରିକେସନ୍‌ ବ୍ୟବସାୟ କରୁଥିବା ବିନୋଦ ପ୍ରେମ ଫାଶରେ ଫସାଇଥିଲା। । ଶାରୀରିକ ସମ୍ପର୍କ ରଖିବା ଭିତରେ ଭିଡିଓ ସୁଟ୍‌ କରିନେଇଥିଲା। ପରେ ପାତ୍ରପଡ଼ାରେ ରହୁଥିବା ଷ୍ଟାବ୍‌ଲାଇଜର୍‌ ମିସ୍ତ୍ରି ପବିତ୍ର ପଣ୍ଡା ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ନାବାଳିକାକୁ ବାଧ୍ୟ କଲା। ମାତ୍ର ନାବାଳିକାଟି ରାଜି ନ ହେବାରୁ ଅନ୍ତରଙ୍ଗ ମୁହୂର୍ତର ଫଟୋ ଭାଇରାଲ କରିଦେବ ବୋଲି ଧମକ ଦେଲା। ଲୋକଲଜ୍ଜ୍ୟାକୁ ଡରି ନାବାଳିକା ଜଣଙ୍କ ବିନୋଦ କଥାରେ ରାଜି ହୋଇଥିଲା। ଏମିତି ଦୁଇ ବର୍ଷ କାଳ ଅଭିଯୁକ୍ତ ଦ୍ୱୟ ନାବାଳିକାକୁ ଶୋଷଣ କରି ଚାଲିବା ପରେ ତାକୁ ବାହାରକୁ ନେଇ ମସ୍ତି କରିବା ପାଇଁ ଯୋଜନା କଲେ। ମାତ୍ର ନାବାଳିକାଟି ଧରାଛୁଅାଁ ନ ଦେବାରୁ ସେମାନେ ତାକୁ ଫୋନ୍‌ କରି ଧମକ ଦେଲେ। ତେଣୁ ବାଧ୍ୟ ହୋଇ ନାବାଳିକା ଜଣଙ୍କ ମୁହଁ ଖୋଲିବାକୁ ସାହସ ଜୁଟାଇଲା। ପ୍ରଥମେ ସେ କ୍ୟାପିଟାଲ ହସ୍ପିଟାଲରେ ‘ସଖୀ’ ସହ ଯୋଗାଯୋଗ କଲେ। ପରେ ‘ସଖୀ’ ସହଯୋଗରେ ଖୋର୍ଧା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି)ର ଦ୍ୱାରସ୍ଥ ହୋଇଥିଲେ। ତୁରନ୍ତ ଖୋର୍ଧା ସିଡବ୍ଲ୍ୟୁସି ତମାଣ୍ଡୋ ଥାନା ସହ ଯୋଗାଯୋଗ କରଥିଲେ। ଏହା ମଧ୍ୟରେ ଅଭିଯୁକ୍ତ ଦ୍ୱୟ ତମାଣ୍ଡୋ ଛାଡ଼ି ଫେରାର୍‌ ହୋଇ ଯାଇଥିଲେ। ଅଭିଯୋଗ ପାଇବା ପରେ ତମାଣ୍ଡୋ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର