ମନ୍ଦିର ପରିସରରେ ପଶି ପାଣି ପିଇଥିବାରୁ ମୁସ୍‌ଲମାନ ଯୁବକଙ୍କୁ ନିର୍ଯାତନା, ଅଭିଯୁକ୍ତ ଗିରଫ

ଗାଜିଆବାଦ୍‌: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମୁସ୍‌ଲମାନ ଯୁବକ ମନ୍ଦିର ପରିସରରେ ପଶି ପାଣି ପିଇ ଦେଇଥିବାରୁ ତାଙ୍କୁ ଅନ୍ୟ ଜଣେ ଯୁବକ ଧମକାଇ ଡରାଉଥିବା ବେଳର ଏକ‌ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅଭିଯୁକ୍ତ ଯୁବକ ଜଣକ ମୁସ୍‌ଲମାନ ଯୁବକ ଦେହରେ ଏକ ଛୁରୀ ବଜାଇ ତାଙ୍କୁ ଡରାଇବା ସହ ବାରମ୍ବାର ତାଙ୍କ ନାଁ ପଚାରୁଥିବାର ଭିଡିଓରେ ନଜର ଆସିଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ବିହାରର ଶ୍ରିଙ୍ଗୀ ନନ୍ଦନ ଯାଦବ। ଭାଇରାଲ୍‌ ଭିଡିଓକୁ ଭିତ୍ତି କରି ଯାଦବଙ୍କ ନାଁରେ ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କ ନାମରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଯାଦବ ମୁସଲମାନ ଯୁବକଙ୍କୁ ତାଙ୍କ ନାଁ ଓ ତାଙ୍କ ବାପାଙ୍କ ନାଁ ପଚାରିବା ସହ ସେ ମନ୍ଦିରରେ କ’ଣ କରୁଥିଲେ ବୋଲି ପଚାରୁଥିବାର ଦେଖିବାକୁ ମିଳିଛି। ପୀଡ଼ିତ ଯୁବକ ଜଣକ ଅତ୍ୟନ୍ତ ଭୟଭୀତ ଥିବା ଦେଖିବାକୁ ମିଳିଛି।

ଯୁବକ ଜଣକ ଯେତେବେଳେ ଉତ୍ତର ଦେଇଛନ୍ତି କି ସେ ମନ୍ଦିର ଭିତରକୁ ପାଣି ପିଇବାକୁ ଯାଇଥିଲେ ବୋଲି ଯାଦବ ତାଙ୍କୁ ଏକ ଚାପୁଡ଼ା ସହ ଗୋଇଠା ମାରିଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର