ଡ଼ାକ୍ତରଙ୍କ ଅମାନବିକତା : ବୋହୂର ଚିକିତ୍ସା ପରେ ଶାଶୁ କମ୍ ଟଙ୍କା ଦେବାରୁ ପଛରେ କୁକୁର ଛାଡ଼ି ଦେଲେ
ନୂଆଦିଲ୍ଲୀ : ଡ଼ାକ୍ତରଙ୍କୁ ଲୋକମାନେ ଦ୍ୱିତୀୟ ଭଗବାନ କହିଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକମାନଙ୍କ ପାଇଁ ଏହି ପେସା ବଦ୍ନାମ ହୋଇ ଯାଇଥାଏ । ଉତ୍ତରପ୍ରଦେଶର ଲଳିତପୁରରେ କିଛି ସେଭଳି ଘଟଣା ଦେଖିବାକୁ ମିଳିଛି । ବୋହୂର ଚିକିତ୍ସା ପରେ ଶାଶୁ ଡ଼ାକ୍ତରଙ୍କୁ ପୂରା ଟଙ୍କା ନ ଦେଇ ପାରିବାରୁ ରାଗରେ ଡ଼ାକ୍ତର ତାଙ୍କ ପଛରେ କୁକୁର ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ମହିଳା । କୁକୁର ଆକ୍ରମଣରେ ପୀଡ଼ିତାଙ୍କୁ ଗଭୀର ଆଘାତ ଲାଗିବା ପରେ ଏବେ ଚିକିତ୍ସା ପାଇଁ ତାଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ସଂପର୍କୀୟ ଏ ନେଇ ପୁଲିସରେ ଡ଼ାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅଭିଯୋଗ ପାଇ ପୁଲିସ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଲଳିତପୁରରେ ରହୁଥିବା ପୀଡ଼ିତା ଶାନ୍ତାବାଇ କୁଶବାହା ଗୁରୁବାର ନିଜ ବୋହୂକୁ ନେଇ ସିଭିଲ ଲାଇନ୍ ଅଞ୍ଚଳରେ ଥିବା ଜଣେ ମହିଳା ଡ଼ାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଚିକିତ୍ସା ପରେ ଡ଼ାକ୍ତରଜଣଙ୍କ ଶାନ୍ତାବାଇଙ୍କୁ ୨୨୫୦ଟଙ୍କାର ବିଲ୍ ଦେଇଥିଲେ । କିନ୍ତୁ ଶାନ୍ତାବାଇଙ୍କ ପାଖରେ ସର୍ବମୋଟ ୧୨୫୦ଟଙ୍କା ଥିବାରୁ ମୋ ସ୍ୱାମୀ ଆସିଲେ ବାକି ୧୦୦୦ଟଙ୍କା ଦେଇ ଦେବି ବୋଲି ଡ଼ାକ୍ତରଙ୍କୁ ଜଣାଇଥିଲେ ଶାନ୍ତାବାଇ । ଏହା କହି ଶାନ୍ତାବାଇ ବାହାରକୁ ଆସିବା ପରେ ମହିଳା ଡ଼ାକ୍ତରଜଣକ ନିଜ ପୋଷା କୁକୁରକୁ ଶାନ୍ତାବାଇଙ୍କ ପଛରେ ଛାଡ଼ି ଦେଇଥିଲେ । କୁକୁର ଶାନ୍ତାବାଇଙ୍କ ଆକ୍ରମଣ କରିବା ପରେ ସେ ଚିତ୍କାର କରିବାକୁ ଲାଗିଥିଲେ । ଏହା ଶୁଣି ଆଖ ପାଖ ଲୋକ ଦୌଡ଼ି ଆସିବା ସହ ତାଙ୍କୁ ବଞ୍ଚାଇ ଡ଼ାକ୍ତରକାନାରେ ଭର୍ତ୍ତି କରିଥିବା ଜଣା ପଡ଼ିଛି ।