ପୁଲିସ ପରିଚୟ ଦେଇ ବଟି ଆଦାୟ, ଲୁଟ୍‌ ଓ ଅପହରଣ : ଯୁବକ ଗିରଫ, ଅପହୃତା‌ ଦିବ୍ୟାଙ୍ଗ ନାବାଳିକା ଉଦ୍ଧାର

କ.ନୂଆଗାଁ : ନିଜକୁ ପୁଲିସ ଅଫିସର ଆକାଶ ବୋଲି ପରିଚୟ ଦେଉଥିଲା। ଦୈନନ୍ଦିନ ପେସା ଥିଲା ଚାନ୍ଦା ଆଦାୟ, ଲୁଟ୍‌ ଓ ଅପହରଣ। ଏଭଳି ଜଣେ ଠକ ଓ ପେସାଦାର ଅପରାଧୀକୁ କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୁଲିସ ଗିରଫ କରିଛି। ଯୁବକ ଜଣକ ହେଲା ଫିରିଙ୍ଗିଆ ଥାନା ଡାଙ୍ଗିଡିକିଆ ଗ୍ରାମର ଦୁଃଖୀଶ୍ୟାମ ଦିଗାଲ(୨୫)। ସେ ଅପହରଣ କରିଥିବା ଜଣେ ଦିବ୍ୟାଙ୍ଗ ନାବାଳିକାକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ପୁଲିସ ଦୁଃଖୀଶ୍ୟାମଠାରୁ ୨ଟି ବାଇକ୍, ଗୋଟିଏ ଆଣ୍ଡ୍ରଏଡ଼୍ ମୋବାଇଲ୍, ୪ଟି ସିମ୍ କାର୍ଡ଼ ଓ ୨ ହଳ ନକଲି ପୁଲିସ ପୋଷାକ ଜବତ କରିଛି। ଏହି ମାମଲାରେ ଗୋଛାପଡ଼ା ଥାନାରେ କେସ୍ ନମ୍ବର ୮୭/୧୯ରେ ଆଇପିସିର ଦଫା ୪୧୭, ୫୧୯ ଓ ୪୨୦ ଅନୁସାରେ ମାମଲା ରୁଜୁ ହୋଇଥିଲା ବେଳେ କ.ନୂଆଗାଁ ଥାନାରେ କେସ୍ ନମ୍ବର ୭୩/୧୯ରେ ଆଇପିସି ୩୭୯ ଓ ୭୯/୧୯ରେ ଆଇପିସିର ଦଫା ୩୬୩ରେ ୨ଟି ମାମଲା ରୁଜୁ ହୋଇଛି। କ.ନୂଆଗାଁ ଥାନା ଅଧିକ‌ାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ ଏହି ମାମଲାର ଅଧିକ ତଦନ୍ତ କରୁଛନ୍ତି।

ସୂଚନା ଅନୁଯାୟୀ; ଦୁଃଖୀଶ୍ୟାମ ନିଜକୁ ପୁଲିସ ଅଫିସର ଆକାଶ ମଲ୍ଲିକ ପରିଚୟ ଦେଇ ବିଭିନ୍ନ ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଥିଲା। କିଛିଦିନ ତଳେ କ.ନୂଆଗାଁ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ମଧ୍ୟ କରି ନେଇଥିଲା। ପୁଲିସ ନିକଟରେ ଏ ଖବର ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ପୁଲିସ ନାବାଳିକାକୁ ଉଦ୍ଧାର କରିବା ପରେ ଦୁଃଖୀଶ୍ୟାମର କାରସାଦି ପଦ‌ାରେ ପଡ଼ିଥିଲା। ନାବାଳିକାର ବୟାନ ଆଧାରରେ ଚତୁରତାର ସହ ଦୁଃଖୀଶ୍ୟାମକୁ ପୁଲିସ ଟିମ୍‌ କାବୁ କରି ପଚରାଉଚରା ପରେ ସେ ସବୁ ଦୋଷ ସ୍ବୀକାର କରିଥିଲା। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିଜକୁ ପୁଲିସ ପରିଚୟ ଦେଇ ଦୁଃଖୀଶ୍ୟାମ ଚୋରି, ଲୁଟ୍, ଅପହରଣ ଓ ବଟି ଅଦାୟ ଭଳି କାର୍ଯ୍ୟକଳାପ ଚଳାଇଥିଲା ବୋଲି ପୁଲିସ ସୂଚନା ଦେଇଛି। ଦୁଃଖୀଶ୍ୟାମ ନାଁରେ ଅନ୍ୟ କେଉଁ ଥାନାରେ ମାମଲା ରହିଛି ସେ ନେଇ ପୁଲିସ ତନାଘନା କରୁଛି।

ସମ୍ବନ୍ଧିତ ଖବର