ପୁଲିସ ହାତରେ ଚୋରା ବାଇକ ଗ୍ୟାଙ୍ଗ

୯ଟି ଚୋରା ବାଇକ୍ ଜବତ, ଦୁଇ ନାବାଳକ ସହ ୫ ଗିରଫ 

କୋରାପୁଟ: କୋରାପୁଟ ଟାଉନ ପୁଲିସ ହାତରେ ଧରା ପଡିଛନ୍ତି ଏକ ବାଇକ ଚୋରୀ କରୁଥିବା ବଡ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଓ ୫ ଜଣ ସାବାଳକ ରହିଛନ୍ତି। ସେମାନଙ୍କଠାରୁ ୯ଟି ବାଇକ ଜବତ କରାଯାଇଥିବାବେଳେ ସିଡିଆର ଯାଞ୍ଚ କରାଯାଉଛି। ସେମାନେ ହେଲେ କୋରାପୁଟ ତଳମାଙ୍ଗାରା ଗାଁର ଗୋବିନ୍ଦ ଟାକିରି (୨୩), ଜୟପୁର ଢେପଗୁଡାର ରୋହିତ ମହାନନ୍ଦିଆ (୨୦), ବୈପାରିଗୁଡାର ଲିଙ୍ଗରାଜ ବିଷୋୟୀ (୨୭), କୁନ୍ଦୁରା ବାଗଦେରୀ ଗାଁର କୃଷ୍ଣ ହରିଜନ (୨୦) ଓ ଜମଗୁଡା ଗାଁର କୁନୁ ଖରା(୨୦)।

ପୁଲିସ ଆଜି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଦୁଇ ଜଣ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ସୁଧାର ଗୃହକୁ ପଠାଇଛି। ସବୁଠୁ ବଡ କଥା ହେଲା ନାବାଳକ ହେବାର ସୁଯୋଗ ନେଇ ଦୁଇ ନାବାଳକ ବହୁ ଗାଡି ଲୁଟିଛନ୍ତି। ଏହି ଦୁଇ ନାବାଳକଙ୍କ ନାମରେ ୭ରୁ ୮ଟି ମାମଲା ରହିଥିବାବେଳେ ସହଜେ ବେଲ୍ ମିଳିଯାଉଥିବାରୁ ଖସି ଆସି ପୁଣି ଗାଡି ଲୁଟ୍ କାମ କରୁଥିଲେ। ଲୁଟ ଗାଡି ନବରଙ୍ଗପୁର, ରାୟଗଡା, ଜଗଦ୍ଦଲପୁର ଓ ଆନ୍ଧ୍ରାରେ ବିକ୍ରି କରାଯାଉଥିଲା। ଏନେଇ ଆଜି କୋରାପୁଟ ଆଇଆଇସି ଧୀରେନ ପଟ୍ଟାନାୟକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଦୁଇଦିନ ତଳେ କୋରାପୁଟ ସହରର ଗାନ୍ଧି ନଗର, ଟିକିରା ସାହି ଅଞ୍ଚଳରୁ ୩ଟି ବାଇକ ଚୋରୀ ହୋଇଥିବାନେଇ ଥାନାରେ ମାମଲା ହୋଇଥିଲା। ଏହାକୁ ଭିତ୍ତି କରି ତିନୋଟି ପୃଥକ ପୃଥକ ମାମଲା ଟାଉନ ଥାନାରେ ହୋଇଥିଲା। ଏହାକୁ ନେଇ ଏସପି ଏକ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲା। ଏହି ଟିମ୍ ତନାଘନା କରିବା ପରେ କୋରାପୁଟ ଅଞ୍ଚଳରେ ଜଗ (ଛଦ୍ମନାମ) ଚୋରାଗାଡି ବିକ୍ରି କରିବାକୁ ଗରାଖ ଖୋଜୁଥିଲା।

ଏହି ସମୟରେ ପୁଲିସ ତାକୁ ମାଡି ବସିଥିଲା। ଏହାପରେ ତାକୁ ପଚରାଉଚରା କରିବାପରେ ଅନ୍ୟ ଜଣେ ନାବଳକ ସହଯୋଗୀ ରବି(ଛଦ୍ମନାମ)ର ନା କହିଥିଲା। ଏହାପରେ ପୁଲିସ ତାଙ୍କୁ ପଚରାଉଚରା କରିବା ପରେ ୫ଜଣଙ୍କର ନାମ ବାହାରିଥିଲା। ସେମାନଙ୍କଠାରୁ ୫ଟି ଆପାଚି ଓ ୪ଟି ପଲସର ଜବତ କରାଯାଇଛି। ପୁଲିସ ଏହି ଗାଡି ମଧ୍ୟରୁ ୨ଟି ଗାଡି ରାୟଗଡାରୁ, ଗୋଟିଏ ଗାଡି ନବରଙ୍ଗପୁରରୁ, ସାଲୁରରୁ ଗୋଟିଏ, କୋରାପୁଟରୁ ୩ଟି ଜଗଦ୍ଦଲପୁରରୁ ଗୋଟିଏ ଓ ମାଲକାନଗିରିରୁ ଗୋଟିଏ ଗାଡି ଜବତ କରାଯାଇଛି।

ତେବେ ୫ ଜଣ ସାବାଳକଙ୍କ ମଧ୍ୟରୁ ଅତି ଚତୁର ରହିଥିଲେ ଦୁଇ ନାବାଳକ ଜଗ ଓ ରବି। ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରିବା ପରେ ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ ଅଞ୍ଚଳରେ ରଖୁଥିଲେ ଏହି ଚୋରାଗାଡି। ସେଠାରୁ ଗାଡି ଦେବାକୁ କହି ଅନଲାଇନରେ ସେମାନେ ବିକ୍ରି କରୁଥିଲେ। ସେଥିରୁ ଯାହା ମିଳୁଥିଲା ଭାଗବଣ୍ଟା କରି ବେପାର ଚାଲୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର