କାର୍‌ ଲୁଟ୍ ସଂପୃକ୍ତରେ ହୋଇଥିଲା ଗିରଫ, କୋର୍ଟ ପରିସରରୁ ପୁଲିସକୁ ଚକ୍‌ମା ଦେଇ ଖସିଗଲା

ନୟାଗଡ଼/ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଏକ କାର୍ ଲୁଟ୍ ଘଟଣାରେ ସଂପୃକ୍ତ ଗିରଫ ଅଭିଯୁକ୍ତ ପୁଲିସ ହାତରୁ ଚମ୍ପଟ୍ ମାରିଛି। ଗତ ୧୪ ତାରିଖ ଦିନ ନୂଆଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ, ଏଥିରେ ସଂପୃକ୍ତି  ଅଭିଯୋଗରେ ନୂଆଗାଁ ପୁଲିସ ଆଜି ଅନିଲ ମୁଦୁଲି ନାମକ ଏକ ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଅନିଲର ଘର ଶରଣକୁଳ ଥାନା ଅଧୀନ ପଞ୍ଚରିଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଗିରଫ ପରେ ଅଭିଯୁକ୍ତକୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ନିମନ୍ତେ ଅଣାଯାଇଥିଲା। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଅଭିଯୁକ୍ତ ନୟାଗଡ଼ କୋର୍ଟ ପରିସରରୁ ନୂଆଗାଁ ପୁଲିସ ହାତରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

ଅଭିଯୁକ୍ତକୁ ପୁଲିସ ଭ୍ୟାନ୍‌ରୁ ଓହ୍ଲାଉଥିବା ବେଳେ ସେ ଦୌଡ଼ି ପଳାଇଥିବା କୁହାଯାଉଛି। ଅଭିଯୁକ୍ତକୁ କୋର୍ଟରେ ହାଜର କରାଇବା ଲାଗି ୩ ଜଣ ଥାନା କର୍ମଚାରୀ ଆସିଥିବା ବେଳେ, ସେମାନଙ୍କ ହାତରୁ ଅଭିଯୁକ୍ତ କିଭଳି ଖସିଗଲା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଗତ ୧୪ ତାରିଖରେ ଭଡ଼ା ମାଗିବା ଆଳ ଦେଖାଇ କଟକ ନରସିଂହପୁର ଅଞ୍ଚଳରୁ ଏକ ସୁଇଫ୍ଟ ଡିଜାୟାର କାର୍ ( ଓଡି ୦୨ ଏଏ ୮୭୭୧) ଭଡ଼ା କରି ଆଣି ଅଭିଯୁକ୍ତମାନେ ଏହି  କାରକୁ ନୂଆଗାଁ ଅଞ୍ଚଳରେ ଲୁଟ୍ କରିଥିଲେ। କାର୍ ଆଣି ଆସିଥିବା ନରସିଂହପୁର ଅଞ୍ଚଳର ଡ୍ରାଇଭର ଫଣି ବେହେରାଙ୍କୁ ମାଡ଼ କାର୍ ଲୁଟ୍ କରିଥିଲେ। ଫଣିଙ୍କୁ ମାଡ଼ ମାରି ନୂଆଗାଁର ଲୁଟ୍ ସ୍ଥଳରେ ଗୁରୁତର ଆହାତ କରି ଛାଡ଼ି ଚାଲିଯାଇଥିଲେ। ଲୁଟ୍ କରିବା ପରେ କାରକୁ ବାହାରକୁ ନେବାରେ ବିଫଳ ହେବାରୁ ନୂଆଗାଁର ଜାକେଡା ପଞ୍ଚାୟତର ଏକ କାଜୁ ଜଙ୍ଗଲ ମଧ୍ୟରେ କାର୍ ଫିଙ୍ଗି ଦୁର୍ବୃତ୍ତ ଜଣଙ୍କ ଚାଲିଯାଇଥିଲା। ଜଙ୍ଗଲ ମଧ୍ୟରେ ଏକ କାର୍ ପଡ଼ିଥିବା ଖବର ପାଇବା ପରେ ନୂଆଗାଁ ପୁଲିସ ୧୫ ତାରିଖରେ କାରକୁ ଜବତ୍ କରିଥିଲା।

ସମ୍ବନ୍ଧିତ ଖବର