ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଚାପ ଖେଳ ଜୁନ ୨ରୁ ଆରମ୍ଭ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଅଖରେ ଚକଲାଗି କାର୍ଯ୍ୟ ଆରମ୍ଭ ହେବା ସହ ମହାପ୍ରଭୂ ଚନ୍ଦନଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରଧାମ ପୁରୀଠାରେ ମହାପ୍ରଭୂ ଚନ୍ଦନ ପୁଷ୍କରଣୀରେ ୨୧ ଦିନ ଚାପ ଖେଳୁ ଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶେଷ ତିନି ଦିନ ମହାପ୍ରଭୂ ପୁଷ୍କରଣୀରେ ନୌକା ବିହାର(ଚାପ ଖେଳ) କରିବାର ରୀତିନୀତି ଓ ବିଧି ବ୍ୟବସ୍ଥା ପ୍ରଚଳିତ ରହିଆସିଛି ।

ଓଡ଼ିଶା ସେବାୟତ ସଂଘର ସଭାପତି ତଥା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ସେବାୟତ କାମେଶ୍ୱର ତ୍ରିପାଠୀଙ୍କ କହିବା ଅନୁସାରେ ପୂର୍ବରୁ ନିଳାଚଳ ଧାମ ପୁରୀ ଭଳି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ମଧ୍ୟ ମହାପ୍ରଭୂ ୨୧ ଦିନ ଚାପ ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାର ସେ ଜାଣିଛନ୍ତି । ମାତ୍ର ପରବର୍ତ୍ତି ସମୟରେ କୌଣସି କାରଣରୁ ମହାପ୍ରଭୂଙ୍କ ଚାପ ଖେଳ ୨୧ ଦିନ ପରିବର୍ତ୍ତେ ଶେଷ ତିନିଦିନ ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତ ଜୁନ ୨ରୁ ଏହି ଚାପଖେଳ ଆରମ୍ଭ ହେବ ।

ଚାପ ଖେଳିବା ନିମନ୍ତେ ମହାପ୍ରଭୂ ମଦନ ମୋହନ, ଦେବୀ ସରସ୍ୱତୀ ଓ ଦେବୀ ମହାଲକ୍ଷ୍ମୀ ବିଜେ କରିବେ । ସେହିପରି ସାନ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୂ ମଦନମୋହନ ଓ ଦେବୀ ମହାଲକ୍ଷ୍ମୀ ବିଜେ ହୋଇଥାନ୍ତି । ଏହାପରେ ସମସ୍ତେ ଏକତ୍ରିତ ହୋଇ ପୁଷ୍କରଣୀରେ ୩ ଦିନ ଧରି ଚାପ ଖେଳିବେ । ପ୍ରଥମ ଦିନରେ ପୁଷ୍କରଣୀରେ ସାତ ଫେରା, ଦ୍ୱିତୀୟ ଦିନରେ ୧୪ ଫେରା ଓ ଶେଷ ଦିନରେ ୨୧ ଫେରା ନୌକା ବିହାର ଶେଷ କରି ପୁଷ୍କରଣୀର ମଧ୍ୟ ଭାଗରେ ଠାକୁରମାନେ ସ୍ନାନ ସହ ସମସ୍ତ ପୂଜାନୀତି ପରେ ମନ୍ଦିରକୁ ବିଜେ ହୋଇଥାନ୍ତି ।

ଏହାପରେ ମଧ୍ୟ ରାତ୍ରରେ ବଡ଼ ସିଂହାର ହୋଇ ପହଡ଼ରେ ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ କାରଣରୁ ହେମସାଗର ପୁଷ୍କରଣୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ ସହରରେ ଥିବା ଚାପଲ ପୋଖରୀରେ ମହାପ୍ରଭୂଙ୍କ ଚାପ ଖେଳ ପାଇଁ ପ୍ରସ୍ତାବ ଦେଇଥିଲେ ; ମାତ୍ର ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ହେମସାଗର ପୁଷ୍କରଣୀରେ ଚୁନ ପକାଇ ମହାପ୍ରଭୂଙ୍କ ଚାପ ଖେଳ କାର୍ଯ୍ୟକ୍ରମ ହେବ ବୋଲି କହିଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

ସେହିପରି ସମାଜସେବୀ ତଥା ଆଇନଜୀବୀ ବିଭୂପ୍ରସାଦ ଦାସଙ୍କ କହିବା ଅନୁସାରେ ବାରିପଦା ସହରର କେନ୍ଦ୍ର ସ୍ଥଳରେ ରହିଥିବା ଚାପଲ ପୋଖରୀରେ ପୂର୍ବରୁ ମହାପ୍ରଭୂ ଚାପ ଖେଳୁଥିବାର ସେ ପିଲା ବୟସରେ ଦେଖିଥିଲେ । ମହାପ୍ରଭୂ ଉକ୍ତ ପୁଷ୍କରଣୀରେ ଚାପ ଖେଳୁଥିବାରୁ ତାର ନାମ ଚାପଲ ପୋଖରୀ ଭାବେ ନାମିତ ହୋଇଥିଲା । କିନ୍ତୁ କାଳକ୍ରମେ ଚାପଲ ପୋଖରୀ ପରିବର୍ତ୍ତେ ହେମସାଗର ପୋଖରୀରେ ମହାପ୍ରଭୂଙ୍କ ଚାପ ଖେଳ ଆରମ୍ଭ ହୋଇଥିଲା । ତେବେ ମହାପ୍ରଭୂଙ୍କ ଚାପ ଖେଳ କରୋନା କଟକଣା ପରିସରରେ ବିନା ଭକ୍ତରେ ଅନୁଷ୍ଟିତ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର