ପାଚେରୀରେ ସୀମିତ ବିକ୍ରମଦେବ ଷ୍ଟାଡିୟମ୍‌

ଜୟପୁର: ଜୟପୁରରେ ପର୍ଯ୍ୟାପ୍ତ ପରିମାଣ କ୍ରୀଡାବିତ୍‌ ରହିଛନ୍ତି ତେବେ କ୍ରୀଡା ବିକାଶର ଆନୁସଙ୍ଗିକ ଭିତ୍ତିଭୁମି ନାହିଁ। ବିକ୍ରମ‌ ଦେବ ଷ୍ଟାଡିୟମଟି କେବଳ ଚାରିପଟେ ପାଚେରୀ ଓ ଗୋଟିଏ ପଟେ ଦର୍ଶକ ଗ୍ୟାଲେରୀକୁ ବାଦ୍‌ ଦେଲେ ସେଭଳି କିଛି ଆଖି ଦୃଷ୍ଟିଆ ବିକାଶ ହୋଇପାରିନି। ପାଚେରୀ ମଧ୍ୟରେ ଷ୍ଟାଡିୟମ ସୀମିତ୍‌ ହୋଇ ରହିଥିବା ବେଳେ କ୍ରୀଡାବିତ୍‌ ମାନେ ଉପେକ୍ଷିତ ହୋଇ ରହିଛନ୍ତି। ନିଜସ୍ବ ଉଦ୍ୟମରେ କ୍ରୀଡାବିତ୍ ମାନେ ଦୌଡ କୁଦ୍ କରୁଥିଲେ ହେଁ ସ‌ଂପ୍ରତି ପ୍ରତିଯୋଗିତା ଗୁଡିକ ସିନ୍ଥେଟିକ୍ ଟ୍ରାକରେ ଦୌଡ଼ିବା ବେଳେ ବହୁ ହଇରାଣର ଶୀକାର ହେଉଛନ୍ତି।

ଜିଲାର ଏହି ସହର ତଥା ଉପଖଣ୍ତରେ ଜାତୀୟ, ଅର୍ନ୍ତଜାତୀୟସ୍ତରୀୟ କ୍ରୀଡାବିତ୍‌ ମାନେ ରହିଥିଲେ ହେଁ ସରକାରୀ ଭାବେ ସେମାନଙ୍କର କ୍ରୀଡାର ବିକାଶ ପାଇଁ ଯେଭଳି ଅନୁସଙ୍ଗିକ ଭିତ୍ତିଭୁମି, ସିନ୍ଥେଟିକ୍‌ ଟ୍ରାକ, ଭଲିଭଲ କୋର୍ଟ କିମ୍ବା ଫୁଟବଲ କୋର୍ଟ,କ୍ରିକେଟ୍‌ ପିଚ୍‌ ଆଦି ଏଥିରେ ନାହିଁ। ତେବେ ଷ୍ଟାଡିୟମ ପରିସରରେ ବିଭିନ୍ନ ବୟସ ବର୍ଗର କ୍ରିକେଟ ଖେଳାଳୀଙ୍କ ଚୟନକୁ ବାଦ ଦେଲେ ଅନ୍ୟ ଖେଳକୁଦ, ଦୌଡକୁଦ୍‌ ପ୍ରତିଯୋଗିତା ପ୍ରଶାସନ ଆୟୋଜନ କରୁଥିବା ନଜିର ନାହିଁ। ପଡିଆର ଚାରିପଟେ ଘାସ ଟିକକ୍ ବି ନାହିଁ। ମଂଚ ଓ ବ୍ୟାୟମଶାଳାର ଅବସ୍ଥା ନ କହିବା ଭଲ। ସହର ମଧ୍ୟରେ ଭଲ ଷ୍ଟାଡିୟମ ଖଣ୍ତିକ ନଥିବାରୁ ବହୁ ଭଲ କ୍ରୀଡାବିତ୍‌ ଓ ଆଥଲେଟ୍‌ ମାନେ ସହର ମଧ୍ୟରେ ଥିବା ସ୍ବୟଂ ଶାସିତ ବିକ୍ରମଦେବ  କଲେଜ ପଡିଆରେ ଯାଇ ଅଭ୍ୟାସ କରୁଛନ୍ତି।

ଗତ ଦିନରେ ବିକ୍ରମଦେବ କଲେଜର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଏହି ପଡ଼ିଆକୁ ହେଲିପ୍ୟାଡ୍ କରାଯାଇଥିଲା। ଦୁଇଟି ପଡ଼ିଆକୁ ରାସ୍ତା ନିର୍ମାଣ କରାଯାଇଥିଲା। ଏହା ପର ଠାରୁ ଲୋକେ ବିକ୍ରମ ଦେବ କଲେଜ ପଡିଆ ସହ ଷ୍ଟାଡିୟମ ପଡ଼ିଆରେ ମର୍ଣ୍ଣିଂ ଓ ଇଭନିଂ ୱାକ୍ କରୁଛନ୍ତି। ଷ୍ଟାଡିୟମ ପଡ଼ିଆର ସମ୍ମୁଖ ଗେଟ୍ ବନ୍ଦ ରହୁଥିବାରୁ ଗଳାବାଟ ଦେଇ ଯିବାକୁ ପଡ଼ୁଛି, ତା ସାଙ୍ଗକୁ ଘାସ ଟିକକ ନଥିବାରୁ କଲେଜ ପଡିଆ ହିଁ ୱାର୍କିଂ କରୁଥିବା କହିଛନ୍ତି ରମେଶ ପ୍ରସାଦ ପାତ୍ର, ଜେକେ ମହାପାତ୍ର , ପି.ହରିଶ, ନାରାୟଣ ନାୟକ। ଷ୍ଟାଡିୟମରେ ସଂପ୍ରତି ପୌରପ୍ରଶାସନ ୨୧ଲକ୍ଷ ଖର୍ଚ୍ଚ କରି ମୁକ୍ତ ଜିମ୍ ଓ ଟ୍ରାକ୍ ନିର୍ମାଣ କରିଛି। ଏହା କେବଳ ଏଠାରେ ମର୍ଣ୍ଣି ଓ ଇଭନିଂ ୱାକ୍ ପାଇଁ ଆସୁଥିବା ଲୋକଙ୍କ ପାଇଁ ପ୍ରଯୁଜ୍ୟ।  କ୍ରୀଡାର ବିକାଶ ପାଇଁ ନିର୍ମାଣାଧୀନ ଥିବା ସମନ୍ବିତ କ୍ରୀଡା କଂପ୍ଲେକ୍ସର ନିର୍ମାଣ କାମ କେବେ ଶେଷ ହେବ  ତାହାର ଉତ୍ତର ଜିଲ୍ଲାକ୍ରୀଡା ଅଧିକାରୀଙ୍କ ନିକଟରେ ନାହିଁ। ଭିତ୍ତିଭୂମି ନଥିବାରୁ କ୍ରୀଡାବିତ୍‌ ମାନେ ବିଭିନ୍ନ କ୍ରୀଡା ପ୍ରତି ଯେଭଳି ଉତ୍ସାହିତ ହୋଇ ଅଭ୍ୟାସ କରିବା କଥା କରି ପାରୁନାହାନ୍ତି। ଏହି ସ୍ଥିତିରେ ଦୌଡକୁଦ , ହକି, ଫୁଟବଲ ଭଳି କ୍ରୀଡା ଛାଡି ଅଧିକାଂଶ ପିଲା କ୍ରିକେଟରେ ହିଁ ମାତିଛନ୍ତି। ଉପଯୁକ୍ତ ରକ୍ଷଣାବେକ୍ଷଣ , ଦେଖାରଖା, ମରାମତି, ବିକାଶ ହେଉନଥିବାରୁ ସହର ମଧ୍ୟରେ ଥିବା ଏହି ଷ୍ଟାଡିୟମ ପଡିଆର ଅବସ୍ଥା ଦିନକୁ ଦିନ ରୁଗଣ ହେବାରେ ଲାଗିଛି।

 

 

 

 

 

ସମ୍ବନ୍ଧିତ ଖବର