ପଶିଲା ମହାନଦୀ ପଛୁଆ ପାଣି: ଖୋର୍ଦ୍ଧା ବ୍ଲକରେ ବନ୍ୟା ପ୍ରଭାବିତ ଗାଁ ସଂଖ୍ୟା ୧୧କୁ ବୃଦ୍ଧି

ଖୋର୍ଦ୍ଧା: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା । ରାଜୁଆ-ଦୟା ନଦୀରେ ତିରିମଲ ଓ କଂଟାବଣିଆ ୪ରୁ ଊର୍ଦ୍ଧ୍ବ ଘାଇ ପରେ ପାଣି ଆଜି ଧଉଳିମୁହଁର ଚାଷ ଜମିକୁ ଡୁବାଇବା ସହ ଶରଧାପୁର ଗାଁ ମଧ୍ୟରେ ପାଣି ପଶିଛି । ଏହା ସହ ଖୋର୍ଦ୍ଧା ବ୍ଲକରେ ବନ୍ୟା ପ୍ରଭାବିତ ଗାଁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଗତକାଲି ତିରିମଲ ଓ କଂଟାବଣିଆ ଠାରେ ଘାଇ ସୃଷ୍ଟି ହେବା ପରେ ବଢ଼ି ପାଣି ଆଜି ସକାଳୁ ଶରଧାପୁରରେ ପଶିଛି । ଶରଧାପୁରର ଗାଁଦାଣ୍ଡରେ ଦୁଇ-ତିନିଫୁଟ ପାଣି ରହିଛି । ରାଜୁଆ ଓ ଦୟା ନଦୀର ଘାଇ ଦେଇ ଅନବରତ ବଢ଼ିପାଣି ପ୍ରବାହିତ ହେଉଥିବାରୁ ଶରଧାପୁରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ମାନପୁର ନିକଟ ଓରମିରେ ମଧ୍ୟ ଜଳପତ୍ତନ ବଢ଼ୁଥିବା ଗାଁ ଲୋକ ସୂଚନା ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଗାଁ ସଂଖ୍ୟା ୫୪ରୁ ୬୭କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ ଖୋର୍ଦ୍ଧା ବ୍ଲକର ୧୧ଟି ଗାଁ -ନରଣଗଡ଼ ପଂଚାୟତର ଓରମି, ମାନପୁର, ଧବଳପୁର, ବଳପୁର, ବ୍ରଜମୋହନପୁରର ଶରଧାପୁର, ଓରବରସିଂହ ପଂଚାୟତର ରାୟପୁର, କୃଷ୍ଣପୁର, ତିରିମୂଳ, ଦୁର୍ଗାପୁର ଓ ଓରବରସିଂହ ରହିଛି । ମୋଟାମୋଟି ଭାବେ ଜିଲ୍ଲାର ୫ଟି ବ୍ଲକର ୪୫ଟି ଗାଁର ୧୮୫୦୭ଜଣ ଲୋକ ବଢ଼ିପାଣି ଘେରରେ ରହିଛନ୍ତି । ୭୬୪୧ଜଣଙ୍କୁ ୧୩ଟି ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଇଛି । ୭୨୬୪ଟି ଗୃହପାଳିତ ପଶୁପକ୍ଷୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ୨୧୫୦.୪୦୬ ହେକ୍ଟର ଜମି ଜଳମଗ୍ନ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି ।


ଖୋର୍ଦ୍ଧା ବ୍ଲକର ବନ୍ୟା ସ୍ଥିତି ନେଇ ବିଡିଓ କ୍ଷୀରାବ୍ଧୀ ତନୟା ସାହୁ କହିଛନ୍ତି ଯେ ଘାଇ ହେତୁ ଜଳବନ୍ଦୀରେ ରହିଥିବା ଗାଁଗୁଡ଼ିକର ଜଳପତ୍ତନ ବଢ଼ୁଛି । ଆଜି ସେ ଓ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ ଦିନ ତମାମ ବନ୍ୟା ପ୍ରଭାବିତ ଗାଁଗୁଡ଼ିକର ସ୍ଥିତି ନିରୀକ୍ଷଣ କରିଥିଲେ । ଶରଧାପୁରରେ ରନ୍ଧନଖାଦ୍ୟ ଆଜି ଠାରୁ ଦିଆଯାଇଛି, ଗୋଖାଦ୍ୟ ମଧ୍ୟ ଗାଁରେ ବଂଟନ କରାଯାଇଛି । ତହସିଲଦାର କେତେକ ପ୍ରଭାବିତଙ୍କୁ ତାର୍ପୁଲିନ୍ ବଂଟନ କରିଥିଲେ । ପରିସ୍ଥିତି ଉପରେ ନଜର ରଖାଯାଇଛି, ଦୁଇ-ତିନି ଦିନ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର