ସୁନ୍ଦରଗଡ଼ରେ ପୁଣି ଲେଉଟିଲା ଡେଙ୍ଗୁ, ଜିଲ୍ଲାରେ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଛି ଡେଙ୍ଗୁ ସ୍ଥିତି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଭିତରୁ ସ୍ମାର୍ଟସିଟି ରାଉରକେଲାର ହେଉଛନ୍ତି ସର୍ବାଧିକ ୯୯ ରୋଗୀ। ଚିହ୍ନଟ ​ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ଇସ୍ପାତ ସହରାଞ୍ଚଳ (ଆର୍‌ଏସ୍‌ପି)ର ୬୪ ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳର ୩୩ ଜଣ ରୋଗୀ ଅଛନ୍ତି, ବାକି ୩ ହେଉଛନ୍ତି କେନ୍ଦୁଝର ଓ ଝାଡ଼ଖଣ୍ଡର। ଗତବର୍ଷ ଜିଲ୍ଲାରେ ଏହି ସଂଖ୍ୟା ଥିଲା ୧୭୪୨। ରାଉରକେଲା ସହରରେ ଚିହ୍ନଟ ୯୯ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୩୭ ରୋଗୀ ରାଜ୍ୟ ରାଜଧାନୀ ଭୁବନେଶ୍ବର ଓ ଅନ୍ୟ ଡେଙ୍ଗୁ ପ୍ରଭାବିତ ଜିଲ୍ଲାରୁ ଆକ୍ରାନ୍ତ ହୋଇ ଆସିଥିବା ଅନୁମାନ କରାଯାଉଛି। ଲାଠିକଟା ବ୍ଲକ ଅନ୍ତର୍ଗତ ବି​ରକେରାରେ ୪, ବିଶ୍ରା ବ୍ଲକରେ ଜଣେ, ମଝାପଡା, ଗୁରୁଣ୍ଡିଆ ବ୍ଲକରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ​ହୋଇଥିବାବେଳେ ସୁନ୍ଦରଗଡ଼ ସହରାଞ୍ଚଳରେ ୨ ଜଣ ଚିହ୍ନଟ​ ହୋଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳରେ ଜମି ରହୁଥିବା ବର୍ଷା ପାଣିର ଲାର୍ଭାରୁ ଏଡିସ୍‌ ମଶା​ଙ୍କ ବଂଶବୃଦ୍ଧି ହେବା ​ଯୋଗୁ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିଛି। ଗତକାଲି ପର୍ଯ୍ୟନ୍ତ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ୧୨୩, ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ୪୮୯, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୨୬ ଏମିତି ମୋଟ ୮୩୯ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରୁ ଜିଲ୍ଲାରେ ମୋଟ ୧୧୪ ଜଣ ରୋଗୀଙ୍କ ଦେହରେ ଡେଙ୍ଗୁ ପଜିଟିଭ୍ ରହିଛି ବୋଲି ଜଣା ପଡ଼ିଥିଲା। ଆକ୍ରାନ୍ତ ଡେଙ୍ଗୁ ରୋଗୀମାନେ ଜିଲ୍ଲାର ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ଜିଲ୍ଲାକୁ ଡେଙ୍ଗୁ ଲେଉଟିଥିବାରୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଆର୍‌ଏସ୍‌ପି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

ରାଉରକେଲା ମହାନଗର ଓ ଇସ୍ପାତ ସହରାଞ୍ଚଳରେ ସଫେଇ କାମକୁ ପ୍ରାଥମିକତା ଦିଆଯାଉଛି। ଡେଙ୍ଗୁ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ବାସନ୍ତୀକଲୋନି, ସେକ୍ଟର-୧, ୧୩ ଓ ୧୭ ଏରିଆରେ ମଶା ଧୂଆଁ ଛଡା ଯାଉଛି। ଡେଙ୍ଗୁ ନିରାକରଣ ଟିମ୍‌ର ୨୦ କର୍ମଚାରୀ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସଫେଇ କାମକୁ ଜୋରଦାର କରିଛନ୍ତି। ଇସ୍ପାତ ସହରାଞ୍ଚଳ ଓ ଆର୍‌ଏମ୍‌ସି ଏରିଆରେ ଡେଙ୍ଗୁ ସଂକ୍ରମିତ ଅଞ୍ଚଳରେ ଘରକୁ ଘରକୁ ବୁଲି ଲୋକଙ୍କୁ ସଚେତନ କରାଯିବା ସହ ରକ୍ତ ନମୁନା ସଂଗ୍ରହ କରାଯାଉଛି ବୋଲି ସରକାରୀ ଭାବେ କୁହା ଯାଉଛି। କିନ୍ତୁ ସହରର କିଛି ବସ୍ତିରେ ଅଳିଆ ଆବର୍ଜନା କୁଢ଼ କୁଢ଼ ହୋଇ ଜମା ହୋଇଥିଲେ ହେଁ ସଫେଇ କରାଯାଉ ନାହିଁ। ଡ୍ରେନ୍‌ଗୁଡ଼ିକୁ ମାସ ମାସ ଧରି ସଫା କରାଯାଉ ନଥିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ମାଲଗୋଦାମ, ପାନପୋଷ କୋଏଲ ବ୍ୟାଙ୍ଗ ବସ୍ତି, ରେଲୱେ କଲୋନି ଆଦି କିଛି ବସ୍ତିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର