ରାଉରକେଲାର ୱିଙ୍ଗ୍‌ କମାଣ୍ଡର୍‌ଙ୍କୁ ‘ବାୟୁସେନା ପଦକ’

ରାଉରକେଲା: ନକ୍ସଲ ଆକ୍ରମଣରେ ମୃତାହତ ଯବାନଙ୍କୁ ସଫଳତାର ସହ ଉଦ୍ଧାର କରିଥିବା ରାଉରକେଲା ଜନ୍ମିତ ବାୟୁସେବା ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ଆଜି ସମ୍ମାନଜନକ ‘ବାୟୁସେନା ପଦକ’ ମିଳିଛି। ନୂଆଦିଲ୍ଲୀସ୍ଥ ଏୟାରଫୋର୍ସ ଅଡିଟୋରିୟମଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ ଏୟାର ଚିଫ୍‌ ମାର୍ଶଲ ବିବେକ ରାମ ଚୌଧୁରୀ ଏହି ପଦକ ପ୍ରଦାନ କରିଥିଲେ। ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ମିଳିବାପରେ ଇସ୍ପାତ ସହରରେ ଖୁସିର ଲହରୀ ଖେଳିଯାଇଛି।

ପ୍ରକାଶଥାଉକି, ଶ୍ରୀ ପାତ୍ର ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟ୍‌ରେ ଅବସ୍ଥାପିତ ଅଛନ୍ତି। ସେ ଗତ ୨୦୨୧ ଏପ୍ରିଲ ୩ ତାରିଖରେ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ବିଜାପୁର ଭୟାବହ ନକ୍ସଲ ଆକ୍ରମଣ ଘଟଣାରେ ମୃତାହତ ଯବାନମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ‘ଅପରେସନ୍‌ ତ୍ରିବେଣୀ’ ରେ ସାମିଲ ଥିଲେ। ‘ହାଇ-ରିସ୍କ୍‌’ ଅଭିଯାନରେ ସମ୍ପୂର୍ଣ୍ଣ ଅପରିଚିତ ତଥା ପ୍ରତିକୂଳ ସ୍ଥାନରେ ବିମାନ ଅବତରଣ କରାଇବା ଭଳି କାର୍ଯ୍ୟ ସମ୍ପାଦନ କରିଥିଲେ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ। ସେ ଯୋଜନା ମୁତାବକ ମୁଖ୍ୟ ଓ ନୋଡାଲ୍‌ ହେଲିପ୍ୟାଡ୍‌କୁ ଦୁଇଟି ସେନା ହେଲିକପ୍ଟରକୁ ବାଟ କଢ଼ାଇ ନେବାପରେ ଏନ୍‌କାଉଣ୍ଟର୍‌ ସ୍ଥଳ ସଂଲଗ୍ନ ଏକ ସ୍ଥାନରେ ହେଲିକପ୍ଟରକୁ ସଫଳତା ପୂର୍ବକ ଅବତରଣ କରିଥିଲେ। ସେଠାରୁ ୭ ଜଣ ଗୁରୁତର ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରିବାସହ ଦ୍ବିତୀୟ ହେଲିକପ୍ଟର୍‌କୁ ଅବତରଣ ସ୍ଥାନକୁ ବାଟ କଢ଼ାଇ ନେଇଥିଲେ।

ଅସାମାନ୍ୟ ପ୍ରତିବଦ୍ଧତା, ଉପସ୍ଥିତ ବୁଦ୍ଧି ଏବଂ ତ୍ବରିତ ପଦକ୍ଷେପ ବଳରେ ସେ ୧୮ଜଣ ଆହତ ଏବଂ ୨୨ଜଣ ସହିଦ ଯବାନଙ୍କ ମରଶରୀରକୁ ସ୍ଥାନାନ୍ତର କରିଥିଲେ। ଏଭଳି ସାହସିକ କାର୍ଯ୍ୟ ସମ୍ପାଦନ ପାଇଁ ତାଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯାଇଛି। ଚିନ୍ମୟଙ୍କ ଘର ହେଉଛି ସ୍ଥାନୀୟ ଛେଣ୍ଡ କଲୋନିରେ। ବାପା ନରେଶ ପାତ୍ର ଓ ମା’ ସବିତାଙ୍କର ଏକମାତ୍ର ପୁତ୍ର ଚିନ୍ମୟ ସ୍ଥାନୀୟ ‘ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ’ରେ ଯୁକ୍ତ ଦୁଇ ଯାଏଁ ଶିକ୍ଷା ଗ୍ରହଣ କରିବାପରେ ୨୦୦୩ ମସିହାରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗଦେଇଥିଲେ। ୨୦୦୭ରେ ଭାରତୀୟ ବାୟୁସେନାରେ କମିସନ ହୋଇ ସ୍କ୍ବାର୍ଡନ ଲିଡର୍‌ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇବା ପରେ ୨୦୨୦ ମସିହାରେ ତାଙ୍କୁ ୱିଙ୍ଗ୍‌ କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା।

ସମ୍ବନ୍ଧିତ ଖବର