କିଟୱା ଗୁଳିବିନିମୟର ଶ୍ରେୟ, ପୁଲିସ ସାହସିକତା ପଦକ ପାଇ‌ବେ କୋରାପୁଟରୁ ୧୩

କୋରାପୁଟ : ମାଓବାଦୀ ନିପାତ ପାଇଁ କୋରାପୁଟ ଜିଲ୍ଲାରୁ ୧୩ ଜଣ ସୁରକ୍ଷା କର୍ମୀଙ୍କୁ ମିଳିବ ସମ୍ମାନ ଜନକ ପୁଲିସ ସାହସିକତା ପଦକ । ଏହା ଆସନ୍ତାକାଲି କେନ୍ଦ୍ରସରକାର ଘୋଷଣା କରିବାକୁ ଯୋଜନା ରହିଥିବାବେଳେ ସେମାନେ ଜାନୁଆରୀ ୨୬‌ରେ ଭୁବନେଶ୍ବରରେ ସମ୍ମାନିତ ହେବେ । କୋରାପୁଟ ଜିଲ୍ଲାର ଅତିରିକ୍ତ ଏସପି ନିରଞ୍ଜନ ସାହୁ, ହାବିଲଦାର ଜିତେନ୍ଦ୍ର କୁମାର ଦାଶ, ଏସଆଇ ଗୁରୁଦେବ କର୍ମୀ, ହାବିଲଦାର କେଶବ ଶୀଶା, କନେଷ୍ଟବଳ ମନୋଜ କୁମାର ନାୟକ, ହାବିଲଦାର ସଚିନ୍ଦ୍ର ଲାକ୍ରା, ହାବିଲଦାର ତପ ସାଗର, ଏସଓଜିର କମାଣ୍ଡୋ ସମୀର ଲାମା, ଏସଓଜି କମାଣ୍ଡୋ ଅରବିନ୍ଦ ସାହୁ, ଏସଓଜିର କମାଣ୍ଡୋ ସୁଶାନ୍ତ ବାର୍ଲା, ଏସଓଜିର କମାଣ୍ଡୋ ରାଜଶେ ବେହେରା, ଏସଓଜିର କମାଣ୍ଡୋ ପଦ୍ମନ ନାୟକ ଓ ଏସଓଜିର କମାଣ୍ଡୋ ଶୁଭ୍ରାଂଶୁ ଭୂଷଣ ସାହୁ ଏହି ସମ୍ମାନ ଜନକ ପୁରଷ୍କାର ପାଇବେ।

୨୦୧୯ ମସିହା ମେ ମାସ ୮ ତାରିଖରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ ନନ୍ଦପୁର ଏରିଆ କମିଟିର ସଶସ୍ତ୍ର ମାଓବାଦୀ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଧିନସ୍ଥ କିଟୱା ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି। ‌କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ ଆଦେଶକ୍ରମେ  ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଅପରେସନ)ର ନିରଞ୍ଜନ ସାହୁ ଓ ତାଙ୍କ ଟିମ୍‌ ନେତୃତ୍ୱ ନେଇ ମାଓ ବିରୋଧୀ ଅଭିଯାନରେ  ସାମିଲ ହୋଇଥିଲେ। ସେଦିନ ଦ୍ବିପହର ସୁଦ୍ଧା ଉକ୍ତ ଜଙ୍ଗଲ ନିକଟରେ ପହଞ୍ଚି ସତର୍କତା ସହ ତଲାସୀ କରୁଥିଲେ। ଦିନ ପ୍ରାୟ ୨ଟା ସୁଦ୍ଧା‌ ସମୟରେ ପୋଲିସ ଦଳ ପାହାଡ ଉପରକୁ ଅଗ୍ରସର ହୋଉଥିବା ସମୟରେ ମାଓବାଦୀ ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ଼ ଦ୍ୱାରା ପୋଲିସ ଦଳ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଶ୍ରୀ ସାହୁ ଓ ତାଙ୍କ ଟିମ୍‌ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେବାରୁ ସେମାନେ ମାତ୍ରାଧିକ ଗୁଳି ଚାଳନା କରିଥିଲେ । ଗ୍ରେନେଡ଼ ଆକ୍ରମଣରେ ଶ୍ରୀ ସାହୁ ଓ ଅନ୍ୟ ଚଉଦ ଜଣ କମାଣ୍ଡୋ ଆଘାତ ପ୍ରାପ୍ତ ହୋଇଥିଲେ। ମାତ୍ର, ଗୁଳିମାଡକୁ  ଭୄକ୍ଷେପ ନକରି ଏହି ଟିମ୍‌ ସହଯୋଗୀ ମାନଙ୍କୁ ସୁସଂଗଠିତ କରି ମାଓବାଦୀ ମାନଙ୍କୁ ପ୍ରତ୍ୟାକ୍ରମଣ କରିଥିଲେ। ପ୍ରାୟ ୪୫ ମିନିଟିର ଗୁଳି ବିନିମୟ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ତଲାସୀ ସମୟରେ ନନ୍ଦପୁର ଏରିଆ କମିଟିର ପାଞ୍ଚ ଜଣ ହାର୍ଡକୋର ମାଓବାଦୀଙ୍କର ମୃତଦେହ ଉଦ୍ଧାର କରାଯିବା ସହ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବନ୍ଧୁକ ଓ ଗୁଳିଗୋଳା ଉଦ୍ଧାର କରାଯାଇଥିଲା। ଏହି ଅଭିଯାନ ପରେ  ନନ୍ଦପୁର ଏରିଆ କମିଟି ଭାଙ୍ଗି ଯାଇଥିଲା।

ସମ୍ବନ୍ଧିତ ଖବର