ମାଓ ସଂଗଠନର ବଡ ଖୁଲାସା; ବର୍ଷକରେ ମଲେଣି ୧୬୦ ମାଓବାଦୀ

ହରିଭୁଷଣ ସହ ୧୩ ଜଣ ଟପ୍ କ୍ୟାଡର ମାଓବାଦୀ ମୃତ

ମାଲକାନଗିରି: ମାଓ ସଂଗଠନର ତରଫରୁ ୧୬ ପୃଷ୍ଠା ସମ୍ବଳିତ ପ୍ରେସ ବିବୃତ୍ତି ପ୍ରଦାନ କରାଯାଇଛି। ସଂଗଠନ ଖୁଲାସା କରିଛି ଯେ ଗତ ଏକ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇସାରିଲାଣି। କରୋନାରେ ୧୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସ୍ବୀକାର କରିଛି ସଂଗଠନ। ସେହିପରି ମାଓ ନେତା ହରିଭୁଷଣ ସହ ୧୩ ଜଣ ଟପ୍ କ୍ୟାଡର ମାଓବାଦୀଙ୍କର ମୃତ୍ୟୁ ହୋଇଛି। ହରିଭୁଷଣ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲେ। ତାଂକ ନାମରେ ସରକାର ୪୦ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ଏଭଳି ଆହୁରି ୧୨ ଜଣ ଟପ୍ କ୍ୟାଡର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସଂଗଠନ କହିଛି।

ସବୁଠାରୁ ବେଶୀ ଦଣ୍ଡକାରଣ୍ୟରେ ୧୦୧ ଜଣଙ୍କର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ଓଡିଶାରେ ୧୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା କୁହାଯାଇଛି। ସେହିପରି ଆନ୍ଧ୍ର-ଓଡିଶା ସୀମାରେ ୧୧ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ତେଲେଙ୍ଗାନାରେ ୧୪ ଜଣ, ବିହାର ଓ ଝାଡ଼ଖଣ୍ଡରେ ୧୧ ଜଣ ଲେଖାଏଁ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଏଭଳି ବହୁ ସ୍ଥାନରେ ମାଓବାଦୀ ମୃତ୍ୟୁବରଣ କରିଥିବା ତାଲିକା ପ୍ରଦାନ କରିଛି ସଂଗଠନ। ତେବେ କେବଳ ମହିଳା ମାଓବାଦୀ ୩୦ ଜଣ ମୃତ୍ୟୁବରଣ କରିଥିବା କୁହାଯାଇଛି। ସେଣ୍ଟ୍ରାଲ ମାଓ ସଂଗଠନ ପକ୍ଷରୁ ଏହି ବଡ ଖୁଲାସା କରାଯାଇଛି।

ଆସନ୍ତା ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯନ୍ତ ସହିଦ ଦିବସ ପାଳନ ନେଇ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ଏହି ସହିଦ ଦିବସ କିପରି ମନାଇବେ, ଏହି ଦିବସରେ କଣ କଣ କାର୍ଯ୍ୟକ୍ରମ ହେବ, ସେସବୁର ବିବରଣୀ ଦିଆଯାଇଛି। ପ୍ରତି ଗାଁରେ ଏହି ଦିବସକୁ ପାଳନ ପାଇଁ ସଂଗଠନ ଆହ୍ବାନ କରିଛି। ମୃତ୍ୟୁବରଣ କରିଥିବା ୭୨ ଜଣ ମାଓବାଦୀଙ୍କର ସଠିକ ବିବରଣୀ ତାଂକ ନିକଟରେ ନଥିବା ମଧ୍ୟ ସ୍ବୀକାର କରିଛି ସଂଗଠନ। ପ୍ରଥମ ଥର ସେଣ୍ଟ୍ରାଲ କମିଟି ପକ୍ଷରୁ ଏତେ ବଡ ପ୍ରେସ ବିବୃତ୍ତି ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ବଡ ବଡ କ୍ୟାଡର ମାଓବାଦୀଙ୍କର ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି। ତାଂକର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଟିକିନିଖି ବର୍ଣ୍ଣନା କରାଯାଇଛି। ତେବେ ସଂଗଠନରେ ଏବେ କ୍ୟାଡର ନେତାଙ୍କ ଅଭାବ ରହିଥିବା ବେଳେ ଆଗକୁ ସଂଗଠନ ବହୁ କ୍ଷତି ସହିବ ବୋଲି ମଧ୍ୟ କୁହାଯାଇଛି। ମାଓବାଦୀ ସଂଗଠନ ପୁଲିସର ଦମନ ଲୀଳାକୁ ବନ୍ଦ କରିବା ନେଇ ଲୋକମାନଙ୍କୁ ବିରୋଧ କରିବାକୁ ଅନୁରୋଧ କରିଛନ୍ତି। ତେବେ ଆଗାମୀ ସହିଦ ସପ୍ତାହରେ ନକ୍ସଲ କି ଅଘଟଣ ଘଟାଉଛନ୍ତି ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର