କରୋନା ଯୁଦ୍ଧର ନୂଆ ଯୋଦ୍ଧା ମହିଳା ଗୋଷ୍ଠୀ, ମାଗଣାରେ ବାଣ୍ଟିଲେଣି ୧୭ ହଜାର ମାସ୍କ

ତିଆରି ସରିଲାଣି ୫୩ ହଜାର ମାସ୍କ୍, . ୫୦ରୁ ଉର୍ଧ୍ବ ଗୋଷ୍ଠୀ ଲାଗିଛନ୍ତି କାମରେ

ରାୟଗଡ଼ା: କରୋନା ଯୁଦ୍ଧର ନୂଆ ଯୋଦ୍ଧା ସାଜିଛନ୍ତି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ। ସଂକ୍ରମଣ ରୋକିବାରେ ମାସ୍କର ଗୁରୁତ୍ବପୂର୍ଣ ଭୂମିକା ଥିବା ସ୍ପଷ୍ଟ ହେବା ପରେ ଲାଗି ପଡ଼ିଛନ୍ତି କାମରେ। ବଜାରରେ ମାସ୍କର ଅଭାବ ପରିଲକ୍ଷିତ ଯୋଗୁ ଆବଶ୍ୟକ ମାସ୍କ ଯୋଗାଇବାକୁ ପଣ କରିଛନ୍ତି। ମାତ୍ର ଏକ ସପ୍ତାହରେ ଜିଲ୍ଲାରେ ୫୩ ହଜାର ମାସ୍କ ତିଆରି ସରିଥିବା ବେଳେ ୧୭ ହଜାର ମାସ୍କ ମାଗଣାରେ ବଣ୍ଟନ କରିଛନ୍ତି ମହିଳା ଗୋଷ୍ଠୀ। ତାହା ପୁଣି ସରକାରଙ୍କ ବିନା ସହାୟତାରେ।

ଜିଲ୍ଲା ମିଶନ୍ ଶକ୍ତି ଅଧୀନରେ ରହିଛନ୍ତି ୧୩ ହଜାର ୨ ଶହ ସ୍ବଂୟ ସହାୟକ ଗୋଷ୍ଠୀ। ଲକଡାଉନ୍ ପାଇଁ ଗୋଷ୍ଠୀ ସଦସ୍ୟା ଘରେ ହାତବାନ୍ଧି ବସି ରହିଛନ୍ତି। ମହାମାରୀ କରୋନାରୁ ବର୍ତିବା ପାଇଁ ଘରୁ ନ ବାହାରିବା ଲାଗି ସରକାର କଟକଣା ଜାରି କରିଛନ୍ତି। ମହାମାରୀ ଓ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ବଜାରରେ ମାସ୍କର ଅଭାବ ଦେଖିବା ପରେ ଗୁଣ୍ଡିଚା ମୂଷା ଭଳି ବିପଦର ବନ୍ଧୁ ହୋଇ ସରକାରଙ୍କ ସହଯୋଗ କରିବା ଲାଗି ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ମହିଳା ଗୋଷ୍ଠୀ। ରାୟଗଡ଼ା ପୌର ପରିଷଦ, ସଦର ବ୍ଲକରେ ଦୁଇଟି ଗୋଷ୍ଠୀ ସମେତ ପିତାମହଲ ଉତ୍ପାଦକ ଗୋଷ୍ଠୀ ବିଷମକଟକର ୨ଟି ଗୋଷ୍ଠୀ, ରାମନାଗୁଡାର ୩ଟି ଗୋଷ୍ଠୀ, ପଦ୍ମପୁରର ୧୦ଟି ଗୋଷ୍ଠୀ ଲାଗିଛନ୍ତି ମାସ୍କ ତିଆରିରେ। ଆଜି ସୁଦ୍ଧା ଏହି ଗୋଷ୍ଠୀ ୨୩ ହଜାର ୪୮୫ ମାସ୍କ ତିଆରି ସରିଥିବା ବେଳେ ୨୨ ହଜାର ୪୪୫ ମାସ୍କ ବିକ୍ରି ହେଲାଣି।

ସେହିପରି ୯୮୦ଟି ମାସ୍କକୁ ମାଗଣାରେ ବଣ୍ଟନ କରିଛନ୍ତି ମହିଳା ଗୋଷ୍ଠୀର ସଦସ୍ୟା। କିନ୍ତୁ ମାସ୍କ ତିଆରି ପାଇଁ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା କିମ୍ବା ବିକ୍ରି ପାଇଁ ବରାଦ ନଥିବାରୁ ମହିଳା ଗୋଷ୍ଠୀମାନେ ନିଜେ ମେଡ଼ିସିନ୍ ଷ୍ଟୋର ଓ ବ୍ୟବସାୟୀଙ୍କୁ ଯୋଗାଯୋଗ କରି ବିକ୍ରି କରୁଛନ୍ତି। ରାୟଗଡ଼ା ସହରର ୨ଟି ଗୋଷ୍ଠୀ ବାଟ ମଙ୍ଗଳା ଓ ମା ମଙ୍ଗଳା ଦୈନିକ ୫ଶହରୁ ୧ ହଜାର ପର୍ଯ୍ୟନ୍ତ ମାସ୍କ ତିଆରି କରୁଥିବା ଗୋଷ୍ଠୀ ସଂଯୋଜିକା ଦେବସ୍ମିତା ପାଣିଗ୍ରାହୀ କହିଛନ୍ତି। ଖୁବ୍ କମ୍ ଦରରେ ଉନ୍ନତମାନର ମାସ୍କ ମିଳୁଥିବା ଯୋଗୁ ଗୁଣପୁର ପୌର ପରିଷଦ ୨ ହଜାର ମାସ୍କ ନେଲାଣି। ସେହିପରି ଅନେକ ସଂଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମାସ୍କ ଯୋଗାଣ ପାଇଁ ବରାଦ ରହିଥିବା କହିଛନ୍ତି ଗୋଷ୍ଠୀର ସଭାପତି ମୀନାକ୍ଷି ପୃଷ୍ଟି।

ଓଡ଼ିଶା ଜୀବିକା ମିଶନ୍ ଅଧୀନରେ ଜିଲ୍ଲାରେ ଥିବା ୯ ହଜାର ୭୦୦ ମହିଳା ଗୋଷ୍ଠୀ ମଧ୍ୟ ସାମିଲ୍ ହୋଇଛନ୍ତି ଏହି ଯୁଦ୍ଧରେ। ଗୋଷ୍ଠୀ ସଦସ୍ୟା ଇତି ମଧ୍ୟରେ ୨୯ ହଜାର ମାସ୍କ ତିଆରି କରିବା ସହିତ ୧୫ ହଜାର ୭୦୦ ମାସ୍କକୁ ମାଗଣ‌ାରେ ବଣ୍ଟନ କରିଛନ୍ତି। ପଞ୍ଚାୟତରାଜ ବିଭାଗ ପକ୍ଷରୁ ଜିଲ୍ଲାରେ ୫୦ ହଜାର ମାସ୍କ ମାଗଣାରେ ବଣ୍ଟନ କରିବା ଲକ୍ଷ୍ୟ ଥିବାରୁ କାମରେ ଲାଗିଛନ୍ତି ମହିଳା ଗୋଷ୍ଠୀ। ମାସ୍କ ତିଆରି ପାଇଁ ସରକାରଙ୍କ ପକ୍ଷରୁ କୌଣସି ସ୍ବତନ୍ତ୍ର ଅନୁଦାନ ମିଳିନଥିବାରୁ ଓଡ଼ିଶା ଜୀବିକା ମିଶନ୍ ପକ୍ଷରୁ ପଞ୍ଚାୟତକୁ ମିଳିଥିବା ଦକ୍ଷତା ବୃଦ୍ଧି ପାଣ୍ଠି ସୁଧ ଅର୍ଥରେ କପଡା, ସୂତା, ଇଲାଷ୍ଟିକ୍ କିଣି ଆଣି ମାସ୍କ ତିଆରି କରୁଛନ୍ତି ମହିଳା।

ଜିଲ୍ଲାର ୧୮୨ ପଞ୍ଚାୟତ ମଧ୍ୟରୁ ୧୧୮ ପଞ୍ଚାୟତକୁ ମିଳିଥିବା ୧୦ ଲକ୍ଷ ପାଣ୍ଠି ବାବଦକୁ ଆସୁଥିବା ସୁଧ ଅର୍ଥରେ କାମ ଚାଲିଥିବା କହିଛନ୍ତି ଜୀବିକା ମିଶନ୍ ଜିଲ୍ଲା ପ୍ରକଳ୍ପ ସଂଯୋଜକ ହେମନ୍ତ ବାଗ। ଖୁବ୍ ଶୀଘ୍ର ସମସ୍ତ ପଞ୍ଚାୟତର ମହିଳା ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀକୁ ଏଥିରେ ସାମିଲ୍ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ମହିଳା ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ତିଆରି ମାସ୍କର ଚାହିଦା ବଢ଼ିବା ପରେ ଆବଶ୍ୟକ ଅନୁଯାୟୀ ମାସ୍କ ଯୋଗାଇବା ପାଇଁ ଗୋଷ୍ଠୀ ସଦସ୍ୟାଙ୍କ ନିକଟରେ ନାହିଁ କପଡା, ସୂତା ଓ ଇଲାଷ୍ଟିକ୍। ଲକଡାଉନ୍ ଯୋଗୁ ବଜାର ବନ୍ଦ ଥିବାରୁ ଆବଶ୍ୟକ ସାମଗ୍ରୀ ମିଳିପାରୁନି। ନିଜ ଚେଷ୍ଟାରେ ଗୋଷ୍ଠୀ ସଦସ୍ୟା ବ୍ୟବସାୟୀଙ୍କ ନିକଟରୁ ବହୁ କଷ୍ଟରେ ଏହି ସାମଗ୍ରୀ ଆଣୁଥିବା କହିଛନ୍ତି। ଏଯାବତ୍ ମହିଳା ଗୋଷ୍ଠୀକୁ ଏଥି ପାଇଁ କୌଣସି ସରକାର ଅନୁଦାନ ମିଳିନଥିବା ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ଦିଗରେ ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର