କାଶୀପୁର: ପୁଲିସ ଦଳକୁ ଆକ୍ରମଣ ଘଟଣାରେ ୨୧ ଗିରଫ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଖୁରି ଗାଁରେ ବୁଧବାର ସନ୍ଧ୍ୟାରେ ପୁଲିସ ଦଳକୁ ଆକ୍ରମଣ ଘଟଣାର ୨୧ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ନାଁରେ ଏକ ମାମଲା ରୁଜୁ କରି ୨୧ ଜଣଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା କିଛି ଅନ୍ୟ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ ଦୁର୍ଗା ଚରଣ ସାହୁ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁସାରେ କାଶୀପୁର ପୁଲିସର ଏକ ଦଳ ଗୋଟିଏ ବୋଲେରରେ ବୁଧବାର ସନ୍ଧ୍ୟାରେ ଜଣଙ୍କର ବାଇକ ଉଦ୍ଧାର କରିବାକୁ ଖୁରି ଗାଁ ପହଞ୍ଚିଥିଲେ। ଏଥିରେ ଗାଁ ଲୋକ ଓ ପୁଲିସ ମଧ୍ୟରେ ତିକ୍ତତା ବଢ଼ିଲା। ପୁଲିସ ଘଟଣାସ୍ଥଳରୁ ଫେରି ଆସୁଥିବାବେଳେ ଗାଁ ଲୋକେ ପଛରୁ ଟେକା ଓ ପଥର ମାଡ଼ କରିିଥିଲେ । ଏଥିରେ ସବଇନ୍‌ସପେକ୍ଟର ଦୁର୍ଗା ଚରଣ ସାହୁ, ସବଇନ୍‌ସପେକ୍ଟର ଟି ଖାନ, ହାବିଲଦାର କାର୍ତ୍ତିକ ଶବର, କନଷ୍ଟେବଳ ଜ୍ୟୋସ୍ନାରାଣୀ ମିଶ୍ର, ଭୁବନ ଶବର ଓ ଏନ ବିଡିକା ଆହତ ହୋଇଥିଲେ।

ପ୍ରକାଶ ଥାଉକି ୩ ମାସ ପୂର୍ବରୁ ଖୁରି ଗ୍ରାମର ଡମ୍ବୁରୁ ଝଡ଼ିଆ ସହ ଅନ୍ୟ ଜଣେ ବ୍ୟକ୍ତି ମଦ ପିଇବାକୁ ନିକଟ ତଳ ମାଳିଗାଁ ଯାଇଥିଲେ। ପରଦିନ ଡମ୍ବରୁ ଝଡ଼ିଆଙ୍କର କ୍ଷତବିକ୍ଷତ ମୃତଦେହ ଗାଁ ମୁଣ୍ଡରେ ପଡିଥିବା ଦେଖିବାକୁ ମିଳିଥିଲା । ପୁଣି ସାଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତିଙ୍କର କୌଣସି କ୍ଷତି ହେଇ ନ ଥିବା ବେଳେ ସେ ଘରକୁ ଫେରିଥିଲେ। ହେଲେ ଉକ୍ତ ଘଟଣାରେ ଡମ୍ବରୁଙ୍କ ପରିବାର ଲୋକେ କାଶୀପୁର ଥାନାରେ ଏକ ହତ୍ୟା ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ମାମାଲାରେ ପୁଲିସ କାହାକୁ ଗିରଫ କରି ନ ଥିବାବେଳେ ଘଟଣାକୁ ନେଇ ଥାନା ପକ୍ଷରୁ କାହାକୁ ଅଟକ ରଖାଯାଇ ନ ଥିଲା। ଏଥିରେ ତଲମାଳି ଗାଁ ଓ ଖୁରିଗାଁ ମଧ୍ୟରେ କିଛିଦିନ ବିବାଦ ଲାଗିରହିଥିଲା।

କିଛି ଦିନ ପରେ ଖୁରି ଗାଁରେ କିଛି ବ୍ୟକ୍ତି ମାଳି ଗାଁ ଲୋକଙ୍କୁ ଅଟକାଇ ମାଡ଼ ମାରିବା ସହ ଦୁଇଟି ବାଇକ ଛଡ଼ାଇନେଇ ଥିଲେ। ଉକ୍ତ ବାଇକ ଟାଣିନେବା ଘଟଣାରେ ମାଲିଗାଁର ଗୋପ ଗୌଡ଼ କାଶୀପୁର ଥାନାରେ ୩ ମାସ ପୂର୍ବରୁ ମାଡ଼ ମାରି ବାଇକ ଛଡ଼େଇ ନେଇଥିବା ଘଟଣାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଦୀର୍ଘଦିନ ପରେ ଥାନାରେ ସମସ୍ୟାର ସମାଧାନ ହେଇପାରି ନ ଥିଲା। ହେଲେ ଉକ୍ତ ଅଭିଯୋଗ ପ୍ରକାରେ କାଶୀପୁର ପୁଲିସ ଦଳ ଖୁରିଗାର ଜଣଙ୍କ ଘରେ ଉକ୍ତ ଦୁଇଟି ବାଇକ ଥିବା ଖବର ପାଇ ବୁଧବାର ରାତି ପ୍ରାୟ ୯ଟାରେ ଗନ୍ତା ଝଡ଼ିଆ ଘରେ ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର