ଆତ୍ମସମର୍ପଣ କଲେ ୨୮ ନକ୍ସଲ, ୪ ଜଣଙ୍କ ନାମରେ ଥିଲା ପୁରସ୍କାର

ମାଲକାନଗିରି: ପଡୋଶୀ ଛତିଶଗଡର ଦନ୍ତେଓ୍ଵାଡା ପୁଲିସକୁ ରବିବାର ବଡ଼ ସଫଳତା ମିଳିଛି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାମରେ ପୁରସ୍କାର ଘୋଷଣା କରାଯାଇଥିଲା। ପୁଲିସ କହିଛି ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲ ବଡ ବଡ ହିଂସାକାଣ୍ଡ ସହିତ ଜଡ଼ିତ ଥିଲେ। ସରକାର ଏମାନଙ୍କ ମଧ୍ୟରୁ ୨୬ ନମ୍ବର ପ୍ଲାଟୁନ ସଦସ୍ୟ ମଙ୍ଗଲୁ ନାମରେ ୨ ଲକ୍ଷ ଟଙ୍କା, କଟେକଲ୍ୟାଣ ଏଲଓସି ସଦସ୍ୟ ବାମନ କାବାସୀଙ୍କ ନାମରେ ଏକ ଲକ୍ଷ ଟଙ୍କା, ସିଏନଏମ କମାଣ୍ଡର ବଡିଆମି ଗଂଗୀ ନାମରେ ଏକ ଲକ୍ଷ ଟଙ୍କା ଏବଂ ଏଲଜିଏସ ସଦସ୍ୟ ହାନ୍ଦା ନାମରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ଦନ୍ତେଓ୍ଵାଡା ଏସପି ଅଭିଷେକ ପଲ୍ଲବ ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ଜଡିତ ହେବାରୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ୧୦ ହଜାର ଟଂକା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ନକ୍ସଲଙ୍କର ନିର୍ଯାତନା ଏବଂ ଭେଦଭାବରେ ଅତିଷ୍ଟ ହୋଇ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଥିଲେ।

ପୂର୍ବଭଲି ସଂଗଠନରେ କୌଣସି ଉଦେଶ୍ୟ ଏବଂ ଲକ୍ଷ୍ୟ ନେଇ କାମ କରାଯାଉ ନ ଥିବା ବେଳେ ଲୋକଙ୍କୁ ଅତି ର୍ନିମମ ଭାବେ ହତ୍ୟା କରୁଛନ୍ତି। କୌଣସି ଦୋଷ ନଥାଇ ଆଦିବାସୀଙ୍କୁ ଘରୁ ତଡି ଦେଉଛନ୍ତି। ମହିଳାଙ୍କ ପ୍ରତି ଶୋଷଣ ବଢିବାରେ ଲାଗିଥିବା ଏମାନେ କହିଛନ୍ତି। ତେବେ ସରକାରଙ୍କ ତରଫରୁ ସମସ୍ତ ନକ୍ସଲଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦନା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର