ଥାନାଧିକାରୀ ବୋଲି ପରିଚୟ ଦେଇ ତିନିଲକ୍ଷ ଟଙ୍କାର ଲୁହାରଡ଼୍ ଠକେଇ

ଗଞ୍ଜାମ: ନିଜକୁ ଗଞ୍ଜାମ ଥାନାଧିକାରୀ ବୋଲି ପରିଚୟ ଦେଇ ତିନିଲକ୍ଷ ଟଙ୍କାର ଲୁହାରଡ଼୍ ଠକେଇ କରିଥିବା ଜଣେ ଯୁବକକୁ ଗଞ୍ଜାମ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ଯୁବକଜଣକ ହେଉଛି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଇଲାକାର ମନୋଜ ମାଝୀ (୩୬)। ମିଳିଥିବା ସୂଚନାନୁସାରେ, ଗତ ୭ ତାରିଖରେ ମନୋଜ ଛତ୍ରପୁରସ୍ଥିତ ଶ୍ରୀମା ଟ୍ରେଡ଼ର୍ସ ମାଲିକଙ୍କୁ ଫୋନ୍ କରି ନିଜକୁ ଗଞ୍ଜାମ ଥାନାଧିକାରୀ ବୋଲି ପରିଚୟ ଦେଇଥିଲା।

‘ଥାନାରେ ଘର କାମ ହେଉଛି, ଟାଟା ଲୁହାରଡ଼୍ ଅଛି କି’ ବୋଲି ପଚାରିଥିଲା। କେତେ ପରିମାଣର ଲୁହାରଡ଼୍ ଲାଗିବ ଏହାର ତାଲିକା ଆମ ଲୋକ ହାତରେ ପଠାଉଛି ଦେଇଦେବେ’ ବୋଲି କହିଥିଲା। ଆଉ କୌଶଳକ୍ରମେ ଗାଡ଼ି ଧରି ଦୋକାନ ପାଖରେ ପହଞ୍ଚି ଗଞ୍ଜାମ ଥାନାଧିକାରୀ ମୋତେ ପଠାଇଛନ୍ତି ବୋଲି କହି ଆବଶ୍ୟକ ପଡ଼ୁଥିବା ଲୁହାରଡ଼୍‌ର ତାଲିକା ପ୍ରଦାନ କରିଥିଲା। ୩ ଲକ୍ଷ ୬୪ହଜାର ଟଙ୍କାର ଲୁହାରଡ଼୍ ‌ଦୋକାନ ମାଲିକ ଦେଇଥିଲେ। ଲୁହାରଡ଼୍‌ ଗୁଡ଼ିକୁ ମନୋଜ ଗାଡ଼ିରେ ଲୋଡ଼୍ କରି ନେଇଥିଲା। ଆଉ କୃଷ୍ଣପ୍ରସାଦର ଦୁଇଜଣଙ୍କୁ ବିକ୍ରି କରିଦେଇଥିଲା। ପରେ ଦୋକାନ ମାଲିକ ଆସି ତାଙ୍କ ପ୍ରାପ୍ୟ ଗଞ୍ଜାମ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ମାଗିବାରୁ ସେ ତାଜୁବ୍ ପାଲଟିଯାଇଥିଲେ। ପରେ ମାଲିକଙ୍କୁ କରାଯାଇଥିବା ଫୋନ୍ କଲ୍ ଯାଞ୍ଚ ବେଳେ ମନୋଜର କାରନାମା ଜଣାପଡ଼ିଥିଲା।

ଥାନାଧିକାରୀ ଶ୍ରୀ ସାହୁଙ୍କ ନେତୃତ୍ବରେ ସେକେଣ୍ଡ୍ ଅଫିସର ଅଜିତ କୁମାର ପରିଡ଼ା ଓ ଏକ ଟିମ୍ କୃଷ୍ଣପ୍ରସାଦ ଯାଇ ତିନିଟି ସ୍ଥାନରେ ଛାନଭିନ୍ କରିଥିଲେ। ମୋବାଇଲ୍ ଟ୍ରାକିଂ କରି ମନୋଜକୁ କାବୁ କରିଥିଲେ।  ଜେରା ବେଳେ ସେ ଦୋଷ ମାନିବା ସହ ତିନିଟି ସ୍ଥାନରେ ଲୁହାରଡ଼୍ ବିକ୍ରି କରିଥିବା ସ୍ବୀକାର କରିଥିଲା। ପୁଲିସ ଚଢ଼ଉ କରି ୩ଲକ୍ଷ ୬୪ହଜାର ଟଙ୍କାର ଲୁହାରଡ଼୍ ଜବତ କରିବା ସହ ମନୋଜକୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର