ଆନ୍ଧ୍ର ସୀମାରେ ମର୍ମନ୍ତୁଦ ଦୁର୍ଘଟଣା, ୪ ପୁଲିସ ମୃତ 

ପାତ୍ରପୁର : ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ପଲାସା ମଣ୍ଡଳ ଅଧୀନ ସୁମାଦେବୀପେଟା ଗ୍ରାମ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆର୍ମଡ଼ ରିଜର୍ଭ ୱିଙ୍ଗ୍‌ର ୪ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ମୃତକ ମାନେ ହେଲେ ସବ୍‌ଇନସପେକ୍ଟର୍ କେ.କ୍ରିଷ୍ଣୁଡ଼ୁ, ଦୁଇ ଜଣ ମୁଖ୍ୟ କନ୍‌ଷ୍ଟେବଳ ୱାଇ.ବାବୁ ରାଓ, ପି.ଆଣ୍ଟୋନି ଓ ପୁଲିସ ଭ୍ୟାନ୍‌ ଚାଳକ ପି.ଜନାର୍ଦ୍ଦନ ରାଓ।

ମୃତକମାନେ ଆଜି ସକାଳେ ଜଣେ ଯବାନଙ୍କ ଶବକୁ ହସ୍ତାନ୍ତର କରି ବୀରସରଙ୍ଗପୁରମରୁ ଭ୍ୟାନ୍‌ରେ ଫେରୁଥିଲେ। ଏହି ସମୟରେ ସୁମାଦେବୀପେଟା ଗ୍ରାମ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଭ୍ୟାନ୍‌ର ଆଗ ଚକ ଫାଟି ଯାଇଥିଲା। ଫଳରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଏକ ଡିଭାଇଡର୍‌ ଉପରକୁ ଚଢ଼ି ଯାଇଥିଲା। ଏତିକିବେଳେ ବିପରୀତ ପଟୁ ଆସୁଥିବା ଏକ ଲରି ପୁଲିସ ଭ୍ୟାନ୍‌କୁ ଧକ୍କା ଦେବାରୁ ୪ ଜଣ କର୍ମଚାରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଶବକୁ ଶ୍ରୀକାକୁଲମ ପୁଲିସ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର