ସରକାରୀ ଘର ପାଇଁ ଗୁହାରି : ଗାଙ୍ଗପୁର ପଞ୍ଚାୟତର ତିନି ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ଘର ଦେବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

ଭଞ୍ଜନଗର: ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଗରୀବ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ବହୁ ସରକାରୀ ଯୋଜନା ମାନ ମଧ୍ୟ ପ୍ରଣୟନ କରିଛନ୍ତି। କିନ୍ତୁ ଅନେକ ସମୟରେ ଆନ୍ତରିକତା ଅଭାବ ଯୋଗୁ ସଠିକ୍ ଲୋକଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁନାହିଁ।  ସରକାରୀ ସ୍ତରରେ ବାସହୀନ ଲୋକଙ୍କ ପାଇଁ ଘର ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସଠିକ୍ ଯାଞ୍ଚ କରି ସରକାରୀ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର ବୋରୀ,ନୂଆ ବୋରି ଏବଂ ଚଢିଆପଲ୍ଲୀ ଗ୍ରାମର ୨୦ ରୁ ଅଧିକ ପୁରୁଷ ଓ ମହିଳା ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି।

ବିଭିନ୍ନ ସମୟରେ ସେମାନଙ୍କ ସମସ୍ୟା ନେଇ ପ୍ରଶାସନର ଦୃଷ୍ଟି ଆର୍କଷଣ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଖରା ବର୍ଷା ଶୀତ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୟନୀୟ ଭାବେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଘରଟିଏ ମିଳିପାରିନି। ସେମାନଙ୍କ ପରିସ୍ଥିତି ସଂର୍ପକରେ ଅଧିକାରୀ ମାନେ ଯାଞ୍ଚ କରି ତଥ୍ୟ ନେଉଥିବା ବେଳେ ସହାୟତା ମିଳି ନଥିବା ପ୍ରକାଶ କରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ବେଳେ ଭଲରେ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଆବାସ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଉକ୍ତ ଗ୍ରାମର ଅଜିତ କୁମାର ବିଷୋୟୀ,ପ୍ରସନ୍ନ କୁମାର ବିଷୋୟୀ,ଶଙ୍କର ବିଶ୍ବାଳ,ସୁମନ୍ତ ବିଷୋୟୀ,ପ୍ରରମେଶ୍ବର ସ୍ବାଇଁ,ରୁନୁ ଜେନା,ଜୟଚନ୍ଦ୍ର ବିଷୋୟୀ,ଝୁନୁ ସେଠୀ,ସୁନୀତା ବିଷୋୟୀ,ପ୍ରଦିପ କୁମାର ସ୍ବାଇଁ,ପୁର୍ନବାସୀ ପ୍ରଧାନ,ଗୀତାଞ୍ଜଳି ବିଷୋୟୀ,ସରସ୍ବତୀ ବିଷୋୟୀ,କୁନା ବିଷୋୟୀ,ଉର୍ମିଳା ବିଷୋୟୀ,ଜହଲା ବିଶ୍ବାଳ,ବାବୁଲା ନନ୍ଦ ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି। ସଂପୃକ୍ତ ବ୍ଳକ୍କୁ ସେମାନଙ୍କ ସମସ୍ୟା ସଂର୍ପକରେ ଅବଗତ କରାଯିବ ଏବଂ ଯାଞ୍ଚ ପରେ ଆବଶ୍ୟକ ମୁତାବକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସହକାରୀ ଜିଲ୍ଲାପାଳ ବିକାଶ କୁମାର ଭୋଇ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର