ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି

ବନ୍ତଳା: ଅନୁଗୁଳ ବ୍ଲକ ବାରଗୌଣିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷରୁ ୫ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଥିବା ୫ଜଣଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିା ପାଇଁ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ବାରଗୌଣିଆ ଗ୍ରାମର ଭ୍ରମର ବର ପ୍ରଧାନ ଓ ପଦ୍ମଚରଣ ପ୍ରଧାନଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଆଜି ସକାଳ ସାଢେ ୮ଟା ବେଳେ ଗ୍ରାମର ରତ୍ନାକର ସାହୁଙ୍କ ପାନ ଦୋକାନ ପାଖରେ ଭ୍ରମର ବର ପ୍ରଧାନ ବସିଥିଲେ। ସେହି ସମୟରେ ଗ୍ରାମରେ ନୂଆ ପାର୍କ କାର୍ଯ୍ୟ କରିବା ପାଇଁ ପଦ୍ମଚରଣ ନାଏକ ଯିବା ବାଟରେ ସେହି ଦୋକାନକୁ ପାନ ପାଇଁ ଯାଇଥିଲେ। ପୂର୍ବରୁ ଭ୍ରମରଙ୍କ ପାଣି ପମ୍ପ ଚୋରି ହୋଇଥିବା ଓ ସେହି ପମ୍ପ ପଦ୍ମଙ୍କ ପୁଅ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା।

ତେବେ ସେହି ପାନ ଦୋକାନ ପାଖରେ ଦୁହିଁଙ୍କ ଭିତରେ ବଚସା ହେବା ସହିତ ହାତାହାତି ହୋଇଥିଲା। ପରେ ପରେ ସକାଳ ପ୍ରାୟ ୧୦ଟା ବେଳକୁ ପଦ୍ମ ଚରଣ ଓ ଭ୍ରମରଙ୍କ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଠେଙ୍ଗା, ବାଡ଼ି, ଟାଙ୍ଗିଆ ଓ କଟୁରି ଦ୍ୱାରା ଉଭୟ ପରିବାର ମଧ୍ୟରେ ମାଡ଼ପିଟ ହେବାରୁ ପଦ୍ମ ଚରଣଙ୍କ ମୁଣ୍ଡ ଫାଟିଥିଲା।

ଅନ୍ୟପକ୍ଷରେ ଏହି ସଂଘର୍ଷରେ ଭ୍ରମରଙ୍କ ପରିବାରର କବିରାଜ ସତ୍ୟ ନାରାୟଣ ପ୍ରଧାନ(୫୬), ଶକ୍ତି ପ୍ରସାଦ ଏଚସି ପ୍ରଧାନ(୨୫), କୁମୁଦିନୀ ପ୍ରଧାନ(୫୫), ଭୁପେନ ପ୍ରଧାନ(୨୫) ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ପକ୍ଷରୁ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର