ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ; ବିଦ୍ୟୁତ୍ ଆଘାତରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ ୪ ନାବାଳକ, ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ରାୟଗଡ଼ା ଶ୍ରମ ବିଭାଗ ପାଖରେ ନାହିଁ ଖବର

ରାୟଗଡ଼ା: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କ‌ାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍ ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ପୌର ପରିଷଦ ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିରାଙ୍ଗର ମହେନ୍ଦ୍ର ଶବର। ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣା ପଡିଛି। ଗୁଣ୍ଟୁର ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି।

ସୂଚନା ମୁତାବକ, ୩ ମାସ ତଳେ ଜଣେ ଦଲାଲଙ୍କ ମାଧ୍ୟମରେ ଗୁଣପୁର ଓ ଗଜପତି ଅଞ୍ଚଳର ୧୨ ଶ୍ରମିକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ଶ୍ରମ ବିଭାଗର ଅଜାଣତରେ ଏବଂ ବିନା ପଞ୍ଜିକରଣରେ ଶ୍ରମିକମାନେ ଲଙ୍କାଭାନିଦିବା ଆକ୍ବା ଫ୍ରେସ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ରେଷ୍ଟ୍ ହାଉସରେ ଶୋଇଥିବା ବେଳେ ସଟ୍ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଶ୍ରମିକମାନେ ଶୋଇଥିବା ରୁମରେ କେମିକାଲ୍ ଥିବାରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ନିଆଁ ଧାସ ଭିତରୁ ଶ୍ରମିକମାନେ ବାହାରି ନପାରି ଶୋଇଥିବା ଅବସ୍ଥାରେ ହିଁ ପୋଡ଼ି ମୃତ୍ୟୁବରଣ କରିଛନ୍ତି।

ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଅଗ୍ନିକାଣ୍ଡ ସଂପର୍କରେ ଜାଣିବା ପରେ ଗୁଣ୍ଟୁର ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ଶରୀର ରେଷ୍ଟ୍ ହାଉସ୍ ଭିତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଗତକାଲି ରାତିରୁ ଏତେ ବଡ଼ ଅଘଟଣ ଘଟିବା ସହ ୬ ଶ୍ରମିକ ମୃତ୍ୟୁବରଣ କରିଥିଲେ ମଧ୍ୟ ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏ ନେଇ କୌଣସି ସୂଚନା ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରୁ ସୂଚନା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ମୃତଦେହକୁ ନିଜ ଅଞ୍ଚଳକୁ ଆଣିବା ପାଇଁ ପ୍ରୟାସ ଚାଲିଥିବା କହିଛନ୍ତି। ଆନ୍ଧ୍ର ପୁଲିସର ସୂଚନା ପରେ ମୃତକଙ୍କ ପରିବାର ଗାଡ଼ି ଭଡା କରି ଗୁଣ୍ଟୁର ଅଭିମୁଖେ ଯାଇଛନ୍ତି। ଶ୍ରମିକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

ସମ୍ବନ୍ଧିତ ଖବର