ନିର୍ବାଚନରେ ଗାଡ଼ି ମୁତୟନରେ ଅବହେଳା, ୬ ମାଲିକଙ୍କ ବିରୋଧରେ ଗିରଫ ପରୱାନା

ରାୟଗଡ଼ା: ପଞ୍ଚାୟତ ନିର୍ବାଚନରେ ଗାଡ଼ି ମୁତୟନ କରିବାରେ ଅବହେଳା ଯୋଗୁ ୬ ମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ପୋଲିଂ ପାର୍ଟି, ପୁଲିସ୍ କର୍ମଚାରୀଙ୍କୁ ନେବା ଆଣିବା ଲାଗି ଜିଲ୍ଲା ପରିବହନ ଅଧିକାରୀ ବସ୍ ମାଲିକଙ୍କୁ ଗାଡ଼ି ଯୋଗାଇବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ନିର୍ଧାରିତ ସମୟରେ ୬ଟି ଗାଡ଼ି ରିପୋର୍ଟିଂ କରିବାରେ ଅବହେଳା କରିଛନ୍ତି। ବାରମ୍ବାର ଚିଠି ସତ୍ତ୍ବେ ଏହି ଗାଡ଼ି ମାଲିକ ପରିବହନ ବିଭାଗର ନିର୍ଦେଶକୁ ମାନୁନଥିବାରୁ ଗିରଫ ପରୱାନା ଜାରି କରିବାକୁ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ରାୟଗଡ଼ା ଜିଲ୍ଲା ୧୧ଟି ବ୍ଲକର ୨୨ ଜିଲ୍ଲା ପରିଷଦ ଜୋନ୍, ୧୮୨ ପଞ୍ଚାୟତ, ୨୨୦୨ ୱାର୍ଡ ପାଇଁ ୫ଟି ପର୍ଯ୍ୟାୟରେ ଫେବ୍ରୁଆରୀ ୧୬ ତାରିଖରୁ ମତଦାନ ଆରମ୍ଭ ହୋଇଛି। ଇତି ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୫ଟି ବ୍ଲକରେ ମତଦାନ ଶେଷ ହୋଇଥିବା ବେଳେ ଆସନ୍ତାକାଲି କାଶୀପୁର, କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପରିଚାଳନା ପାଇଁ ପୋଲିଂ ପର୍ସନାଲ୍ ସହ ପୁଲିସ୍ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଯାତାୟାତ ସହ ବାଲାଟ୍ ବକ୍ସ ନେବା ଆଣିବା ଲାଗି ଶହ ଶହ ଯାନର ଆବଶ୍ୟକତା ପଡୁଛି। ଏହି ଦୃ୍ଷ୍ଟିରୁ ନିର୍ବାଚନର ବହୁ ପୂର୍ବରୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦେଶରେ ଜିଲ୍ଲା ପରିବହନ ଅଧିକାରୀ ହେମନ୍ଦ୍ରେ ନାୟକ ବହୁ ଗାଡ଼ିର ତାଲିକା ଚୂଡ଼ାନ୍ତ କରି ଗାଡ଼ି ମାଲିକଙ୍କୁ କେଉଁ ତାରିଖରେ କାହାକୁ ରିପୋର୍ଟିଂ କରିବେ ସେ ନେଇ ଚିଠି ଜାରି କରାଯାଇଥିଲା। ଜିଲ୍ଲା ପୁଲିସର ଜେକେପୁରସ୍ଥିତ ରିଜର୍ଭ କାର୍ଯ୍ୟାଳୟରେ ସବୁ ଗାଡ଼ି ମାଲିକ୍ ଏକାଠି ହେବା ପରେ ନିର୍ଦେଶକ୍ରମେ ପୁଲିସ୍ ଓ ପୋଲିଂ ପର୍ସନାଲଙ୍କୁ ନେଇ ଯିବାକୁ ନିର୍ଦେଶ ଥିଲା। କିନ୍ତୁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଥିଲେ ମଧ୍ୟ ଜିଲ୍ଲାର ୬ ବୋଲେରୋ ମାଲିକ ଗାଡ଼ି ମୁତୟନ କରିନଥିବାରୁ ଗିରଫ ପରୱାନା ଜାରି କରାଯାଇଛି।

 

ସମ୍ବନ୍ଧିତ ଖବର