ଚାଲିଛି ସଡ଼କ ସୁରକ୍ଷା ମାସ: ମୟୂରଭଞ୍ଜ ଜିଲ୍ଲାରେ ୨ ବର୍ଷରେ ୬୦୪ ଜଣଙ୍କ ପ୍ରାଣ ନେଇଛି ସଡ଼କ ଦୁର୍ଘଟଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପାଇଁ ସଡ଼କ ଦୁର୍ଘଟଣା ସାଜିଛି ପରମ ଶତ୍ରୁ। ଗତ ଦୁଇବର୍ଷ ମଧ୍ୟରେ ଜିଲ୍ଲାରେ ୬୦୪ ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଯାଇଛି। ଉଲ୍ଲେଖନୀୟ ବିଷୟ ହେଲା ୨୦୧୯ ଓ ୨୦୨୦ ବର୍ଷରେ ଜିଲ୍ଲାରେ ୯୩୫ ଟି ଦୁର୍ଘଟଣା ଘଟିଛି। ମାତ୍ର ମୃତ୍ୟୁସଂଖ୍ୟା ୬୦୪। ଯାହାକି ୬୪ ପ୍ରତିଶତରୁ ଊର୍ଧ୍ବ। ତେଣୁ ଜିଲ୍ଲାରେ ପ୍ରାଣଘାତୀ ସାଜୁଛି ଦୁର୍ଘଟଣା। ଜିଲ୍ଲା ପରିବହନ ବିଭାଗ ତଥ୍ୟ ଅନୁଯାୟୀ ୨୦୧୯ରେ ମୟୂରଭଞ୍ଜରେ ୪୬୬ଟି ସଡ଼କ ଦୁର୍ଘଟଣା ଘଟିଥିଲା ବେଳେ ୩୨୫ ଜଣଙ୍କର ଜୀବନ ଯାଇଥିଲା । ସେହିପରି ୨୦୨୦ରେ ଜିଲ୍ଲାରେ ୪୬୯ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨୭୯ ଜଣଙ୍କର ପ୍ରାଣ ଯାଇଛି।

ଗତ ଦୁଇ ବର୍ଷରେ ଦୁର୍ଘଟଣାରେ ଜିଲ୍ଲାରେ ଏତେସଂଖ୍ୟକ ଲୋକଙ୍କ ଜୀବନହାନୀ ଘଟିବା ନିହାତି ଉଦ୍ବେଗର ବିଷୟ। ତେବେ ସଡ଼କ ସୁରକ୍ଷା ନେଇ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କିପରି ଦାୟିତ୍ବ ପାଳନ କରାଯାଉଛି, ତାହା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଛି। ବର୍ତ୍ତମାନ ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଚଳିତ ମାସ ୧୮ରୁ ଆରମ୍ଭ ହୋଇ ଆସନ୍ତା ମାସ ୧୭ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜନସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ତତ୍ତ୍ବାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର କେବଳ କାର୍ଯ୍ୟକ୍ରମ ଆୟୋଜନ କରି କାମ ସାରିଦେଉଛି ସମିତି। କିପରି ଏହାକୁ ରୋକିହେବ ସେନେଇ କିନ୍ତୁ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି।

୨୦୧୯ ତୁଳନାରେ ୨୦୨୦ରେ ଅଧିକ ୩ଟି ସଡ଼କ ଦୁର୍ଘଟଣା ଘଟିଛି। ମାତ୍ର ୨୦୧୯ରେ ଅଧିକ ୪୬ଜଣ ମୃତ୍ୟୁବରଣ କରିଥିଲେ। ତେବେ କରୋନା ମହାମାରୀ ମୁକାବିଲା ନିମନ୍ତେ ଜିଲ୍ଲାରେ ମାର୍ଚ୍ଚ ୨୦ରୁ ଲକଡାଉନ୍ ଓ ସଟଡାଉନ କଟକଣା ଲାଗିଥିଲା। ଫଳରେ ପ୍ରାୟ ୭ ମାସରୁ ଅଧିକ ସମୟ ଧରି ଜିଲ୍ଲାରେ ଗାଡି ମୋଟର ଚଳାଚଳ ପ୍ରାୟତଃ ବନ୍ଦ ରହିଥିଲା । ତେଣୁ ଉପରୋକ୍ତ ଲକଡାଉନ ଓ ସଟଡାଉନକୁ ବାଦ ଦେଲେ ଜିଲ୍ଲାରେ ସଡ଼କ ଦୁର୍ଘଟଣାର ହାର ଓ ଦୁର୍ଘଟଣାଜନିତ ମୃତ୍ୟୁହାର ୨୦୧୯ ତୁଳନାରେ ଯଥେଷ୍ଟ ଅଧିକ ବୋଲି କୁହାଯାଇପାରିବ । ଜିଲ୍ଲାରେ ୨୦୧୯ରେ ୧୩ ସ୍ଥାନକୁ ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ଏହା ୮କୁ ଖସି ଆସିଛି। ଜିଲ୍ଲାରେ ବ୍ଲାକ୍ ସ୍ପଟ୍ ସର୍ଭେ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି । ତେବେ ଜିଲ୍ଲାରେ ବ୍ଲାକ୍ସ୍ପଟ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। କେବଳ ଘାଟି ଉପରେ ଦୁର୍ଘଟଣା ଘଟି ଶତାଧିକ ଲୋକଙ୍କ ପ୍ରାଣ ଯାଇଥିବା ଜଣାପଡ଼ିଛି। ଜିଲ୍ଲାଦେଇ ଯାଇଥିବା ଜାତୀୟ ରାଜପଥରେ ମଧ୍ୟ ଊଣାଅଧିକେ ପ୍ରତିଦିନ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ସମସ୍ତେ ଦେଖୁଛନ୍ତି। ବର୍ଷକୁ ବର୍ଷ ଦୁର୍ଘଟଣା ବଢ଼ୁଥିବାବେଳେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ସଠିକ ଭାବରେ ବ୍ଲକ୍ସ୍ପଟ ଚିହ୍ନଟ କରି ଦୁର୍ଘଟଣା ରୋକିବାକୁ ଅଧିକ ପ୍ରୟାସ କରିବାକୁ ଦାବି ହୋଇଛି।

ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ସହିତ ନିଜେ ମଧ୍ୟ ସଚେତନ ହେବାର ଆବଶ୍ୟକତା ଦେଖା ଦେଇଛି । ବିଭିନ୍ନ ସ୍ଥାନରେ ରାସ୍ତାଘାଟରେ ଖାଲଖମା ହେବା, ବେଆଇନ ଭାବେ ହମ୍ପ୍ସ, ଗାଡ଼ି ମୋଟର ଚଳାଚଳ ନିୟନ୍ତ୍ରଣ କରିବା ନିମନ୍ତେ ଆବଶ୍ୟକ ସଂଖ୍ୟକ ଟ୍ରାଫିକ୍ ପୁଲିସର ଅଭାବ, ବେଆଇନ ପାର୍କିଂ, ପାର୍କିଂ ସ୍ଥାନର ଅଭାବ, ବେଆଇନ ଜବର ଦଖଲ ସହ ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରିବାରେ ବିଫଳ ଆଦି ବିଭିନ୍ନ କାରଣ ମଧ୍ୟ ସଡ଼କ ଦୁର୍ଘଟଣାର କାରଣ ବୋଲି କୁହାଯାଇପାରେ। ଗାଡ଼ି ଚଲାଇବା ବେଳେ ବେଗ ନିୟନ୍ତ୍ରଣରେ ରଖିବା, ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଲାଇବା ଆଦିକୁ ମାନିଲେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକାଯାଇପାରିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର