ଚୋରା କୋଇଲା ଚାଲାଣ ଅଭିଯୋଗରେ ୭ଜଣ ଗିରଫ; ୫ ଗାଡି ଜବତ

କଣିହାଁ; କଣିହାଁ ବ୍ଳକ ସମଲ ଥାନା ଅଧୀନରେ ଥିବା ବଲାଙ୍ଗି ଗାଁ ନିକଟରୁ ଅନୁଗୁଳ ସ୍ପେଶାଲସ୍କ୍ୱାଡ ଟିମ ଗତକାଲି ରାତିରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଓ ୪୦୭ ନମ୍ବର ଗାଡିକୁ ଜବତ କରିବା ସହ ଗାଡ଼ିଗୁଡିକୁ ସୁରକ୍ଷାଦେଉଥିବା ଗୋଟିଏ ବଲେରୋ, କାର ଓ ବାଇକକୁ ଜବତ କରି ସମଲ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ବ୍ୟାପକ ମାତ୍ରାରେ ଚୋରା କୋଇଲାଚାଲାଣ ହେଉଥିବା ଖବରପାଇ ଅନୁଗୁଳ ଜିଲ୍ଲା ସ୍ପେଶାଲସ୍କ୍ୱାଡର ଇନସପେକ୍ଟର ଦିତିକୃଷ୍ଣ ମିଶ୍ର ଓ ସଦଳବଳ କାଲି ରାତିରେ ସମଲ ଥାନା ଅଞ୍ଚଳରେ ଚଢ଼ାଉ କରି ବଲାଙ୍ଗୀ ଗାଁ ନିକଟରୁ (ଓଆର -୧୯ଜି -୯୫୧୭) ନମ୍ବର ଟ୍ରକ ଓ (ଓଆର -୫କ୍ୱିଉ -୯୦୧୬) ନମ୍ବର ୪୦୭ ଗାଡିକୁ ଜବତ କରିଥିଲେ। ଏହି ଗାଡ଼ିଗୁଡିକ କୋଇଲା ବୋଝେଇ କରି ବଲାଙ୍ଗୀରୁ ସମଲଥାନା ଦେଇ ପାଲଲହଡା ଅଭିମୁଖେ ଯିବାବେଳ ପୁଲିସ ହାତରେ ଧାରା ପଡ଼ିଥିଲେ। ଏବଂ ଚୋରା ଚାଲାଣ ହେଉଥିବା ଗାଡ଼ିଗୁଡିକୁ ସୁରକ୍ଷା ଦେଉଥିବା( ଓଡ଼ି -୨ଏଜି -୬୮୮୨) ନମ୍ବର ବଲେରୋ ଓ (ଓଡ଼ି -୧୧ ଏଫ – ୩୧୩୫) ନମ୍ବର ସୁଇପଟଡିଜିଆର କାର ଓ (ଓଡ଼ି ୩୫ ଜି- ୪୨୪୩) ବାଇକକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରି ସମଲ ପୁଲିସକୁ ହସ୍ତାନ୍ତର କରାଯାଇଛି।

ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ବେଳେ ଆଉ କିଛି ଅଭିଯୁକ୍ତ ପୁଲିସକୁ ଦେଖି ଫେରାର ହୋଇ ଯାଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ କୋଇଲା ମାଫିଆ କଟରାପଡା ଗାଁର ସିପୁନ ପ୍ରଧାନ( ୩୫)  ଖମାରଥାନା ଇଂଜିଡ଼ି ଗାଁର ନିରଂଜନ ସାହୁ (୪୦) ସମଲ ଗାଁର  ମିଥୁନ ମହାନ୍ତି (୩୫) ତୁମୁଗୁଳା ଗାଁର ଅନିଲ ଭୁକ୍ତା (୩୧) କଣିହାଁ ଥାନା ଗଣ୍ଡବେରଣ। ଗାଁର ଯୋଗୀ ପରିଡା (୫୦) ସମଲଥାନା ଟୋପା ଗାଁର ପଞ୍ଚାନନ ଖିଲାର ଓ ଋଟୁଭୁଇଁ ଗାଁର ଜିତୁ ଗୋଛାୟାତ(୩୦) ବୋଲି ଜଣାପଡ଼ିଛି।
ଗିରଫ ସମସ୍ତ ଅଭିଯୁକ୍ତଙ୍କ ଆଜି କୋଭିଡ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି । ସମଲ ଥାନାର ନୂଆ ବଲାଙ୍ଗି ଓ ରୁଟୁଭୂଇଁ ଅଞ୍ଚଳରେ କୋଇଲା ମାଫିଆମାନେ କୋଇଲା ବୋଝେଇ ଟ୍ରେନରୁ କୋଇଲା ଚୋରି କରି ଜଙ୍ଗଲରେ ଗଦା କରୁଛନ୍ତି।
ରାତିରେ ଟ୍ରକ ଓ ୪୦୭ ଗାଡ଼ିରେ ସମଲ ଥାନା ଦେଇ ପାଲଲହଡା , କେନ୍ଦୁଝର ଓ ରାଉରକେଲା ଅଞ୍ଚଳକୁ କୋଇଲା ଚାଲାଣ କରୁଛନ୍ତି। ସମଲ ଥାନା ଅଞ୍ଚଳରୁ କୋଇଲା ଚୋରାଗାଡିକୁ ଅନୁଗୁଳ ସ୍ପେଶାଲସ୍କ୍ୱାଡ ପକ୍ଷରୁ ବାରମ୍ବାର ଧରୁଥିବା ବେଳେ ସ୍ଥାନୀୟ ପୁଲିସ ଚୋରା ଚାଲାଣ କରୁଥିବା ଗାଡିଗୁଡିକୁ କିପରି ଧରି ପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର