ସାନ ଭାଇର ଛୁରାମାଡ଼ରେ ବଡ଼ ଭାଇର ମୃତ୍ୟୁ ଘଟଣା: ଫେରାର ଅଭିଯୁକ୍ତ ଗିରଫ

ବୈପାରିଗୁଡ଼ା: ମୋବାଇଲକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଠାରେ ଘଟିଥିବା ପାରିବାରିକ କଳହ ଏବଂ ହତ୍ୟାକାଣ୍ଡ ଘଟଣାରେ ଫେରାର ଅଭିଯୁକ୍ତକୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ପ୍ରଧାନୀକୁ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଦୁଇଦିନ ତଳେ ମୋବାଇଲକୁ କେନ୍ଦ୍ର କରି ଘରେଇ କଳି ସୃଷ୍ଟି ସହ ବଡ଼ ଭାଇକୁ ସାନ ଭାଇ ଛୁରୀ ଭୁଷି ହତ୍ୟା କରିଥିଲା। ସାନଭାଇ ଲକ୍ଷ୍ମୀକାନ୍ତ ପ୍ରଧାନୀ କିଛି ମାସ ତଳେ ନିଜ ଭିଣୋଇଙ୍କ ମୋବାଇଲ ଫୋନ ଆଣି ନିଜେ ବ୍ୟବହାର କରୁଥିଲା। ତେବେ ଫୋନଟି ଭାଙ୍ଗି ଯାଇଥିଲା। ଲକ୍ଷ୍ମୀକାନ୍ତର ଭଉଣୀ ଫୋନ୍ ଫେରାଇବା ପାଇଁ ବାରମ୍ବାର କହିବା ପରେ ସେ ଆଜି ଦେବି କାଲି ଦେବି କହି ଦିନ ଗଡ଼େଇ ଚାଲିଥିଲା। ଦୁଇ ଦିନ ତଳେ ଫୋନକୁ କେନ୍ଦ୍ର କରି ଲକ୍ଷ୍ମୀକାନ୍ତ ସହ ଭଉଣୀର ଭୀଷଣ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବଡ଼ଭାଇ କାହ୍ନୁଚରଣ ପ୍ରଧାନୀ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ନୂଆ ମୋବାଇଲ କିମ୍ବା ଟଙ୍କା ଭଉଣୀକୁ ଦେବାପାଇଁ କହିବାରୁ ଲକ୍ଷ୍ମୀକାନ୍ତ ବଡଭାଇକୁ ମଧ୍ୟ ଗାଳିଗୁଲଜ କରିଥିଲା। କାହ୍ନୁ ଭାଇର ଏପ୍ରକାର ବ୍ୟବହାର ଦେଖି ଦୁଇ ଚାପୁଡ଼ା ମାରିଥିଲା।

ତେବେ ଲକ୍ଷ୍ମୀକାନ୍ତ ଟଙ୍କା ଆଣିବା କହି ନିଜ ବଖରାକୁ ଯାଇ ଛୁରିଟିଏ ଆଣି କାହ୍ନୁଚରଣଙ୍କୁ ଭୁଷି ଦେଇଥିଲା। ଗୁରୁତର ଭାବେ ଆହତ କାହ୍ନୁକୁ ପ୍ରଥମେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ଜୟପୁର ଜିଲ୍ଲା ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କାହ୍ନୁଚରଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଲକ୍ଷ୍ମୀକାନ୍ତ ନିଜ ତେର ମାସର ପୁଅକୁ ଧରି ନିଜ ଶ୍ଵଶୁର ଘର ଅମଳାଭଟା ଯାଇଥିଲା। ବୈପାରିଗୁଡା ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଲକ୍ଷ୍ମୀକାନ୍ତକୁ ଖୋଜିବା ଆରମ୍ଭ କରିଥିଲା। ଗତକାଲି କୌଣସି ସୂତ୍ରରୁ ପୁଲିସ ଖବର ପାଇଲା ଯେ, ଲକ୍ଷ୍ମୀକାନ୍ତ ଅମଳାଭଟ୍ଟା ଛକରେ ଗାଡ଼ି ଅପେକ୍ଷାରେ ରହିଛି। ପୁଲିସ ତୁରନ୍ତ ଅମଳାଭଟ୍ଟା ଛକରେ ପହଞ୍ଚିଥିଲା। ତେବେ ଲକ୍ଷ୍ମୀକାନ୍ତ ଜୟପୁର ଆଡ଼କୁ ମିଳିଥିବା ଖବର ପାଇ ଜୟପୁର ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ପତ୍ତା ପାଇନଥିଲା। ତେବେ ମଧ୍ୟରାତ୍ରରେ ତାକୁ ବସଷ୍ଟାଣ୍ଡରୁ ଠାବ କରିବା ସହ ବୈପାରିଗୁଡା ଆଣିଥିବା ଆଇଆଇସି ଈଶ୍ଵର ତାଣ୍ଡି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର