ବାଇକ୍‌-ଆମ୍ବୁଲାନ୍‌ସ ମୁହାଁମୁହିଁ ଧକ୍କା: ବାପା ମୃତ, ଗୁରୁତର ପୁଅକୁ ଉଦ୍ଧାର କରି ହସ୍‌ପିଟାଲ ନେଲେ ଢେଙ୍କାନାଳ ସାଂସଦ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଲବାହାଳି ନିକଟରେ ଆଜି ଅପରାହ୍ଣରେ ଏକ ଘରୋଇ ଆମ୍ବୁଲାନ୍ସ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ପ୍ରାୟ ସାଢ଼େ ୩ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି।
ଏହି ସମୟରେ ବାଟରେ ଯାଉଥିବା ଢେଙ୍କାନାଳ ସାଂସଦ ମହେଶ ସାହୁ ଦୁର୍ଘଟଣା ଦେଖି ଅଟକି ଯାଇ ନିଜ ଗାଡ଼ିରେ ଆହତ ବାଳକକୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ନେଇଥିଲେ। ଏହାପରେ ମା’କୁ ଅନ୍ୟ ଗାଡ଼ିରେ ପଠାଇବା ବ୍ୟବସ୍ଥା କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟ ଗୁରୁତର ମା ଓ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରାପ୍ତ ସୂଚନା ମୁତାବକ, ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଭାପୁର ପଟୁ ଅନୁଗୁଳ ଆଡ଼କୁ ଆମ୍ବୁଲାନ୍ସଟି ଯାଉଥିବା ବେଳେ ବିପରୀତ ଦିଗରୁ ଯାଉଥିବା ବାଇକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସାଢ଼େ ତିନି ବର୍ଷର ପୁଅର ମେରୁଦଣ୍ଡ ଓ ଜଙ୍ଘ ହାଡ଼ ଭାଙ୍ଗିଯାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ ଓ ଆହତଙ୍କର ପରିଚୟ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର