ଦରମା ଓ ଭତ୍ତା ପ୍ରଦାନ ଦାବିରେ ନୀଳାଚଳ ଫାଟକ ସମ୍ମୁଖରେ ଆନ୍ଦୋଳନ ; ଡୁବୁରି-ଯାଜପୁର ରୋଡ୍‌ ରାସ୍ତା ଅବରୋଧ

ଦାନଗଦୀ : ଦଶ ମାସର ବକେୟା ଦରମା ଓ ଅନ୍ୟାନ୍ୟ ଭତ୍ତା ତୁରନ୍ତ ପ୍ରଦାନ ଦାବିରେ ଆଜି କଳିଂଗନଗର ମଜଦୁର ୟୁନିୟନ ନେତୃତ୍ବରେ କର୍ମଚାରୀମାନେ ନୀଳାଚଳ ମେଟେରିଆଲ ଗେଟ୍ ସମ୍ମୁଖରେ ଡ଼ୁବୁରୀ-ଯାଜପୁର ରୋଡ଼ ରାସ୍ତା ଅବରୋଧ କରିଛନ୍ତି । ପୂର୍ବରୁ ମଜଦୁର ୟୁନିୟନ ଓ କାରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହେବାପରେ ଘୋଷଣା ଅନୁଯାୟୀ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାଜପୁର ରୋଡ଼ ଡ଼ୁବୁରୀ ରାସ୍ତା ଅବରୋଧ କରାଯିବାପାଇଁ ଚେତାବନୀ ଦିଆଯାଇଥିଲା ।

ଆଜି ସକାଳ ୮ଟାରୁ ଶତାଧିକ ଶ୍ରମିକ/କର୍ମଚାରୀ ଏହି ରାସ୍ତା ଅବରୋଧ କରିବା ସହ ଗଣଧାରଣାରେ ବସିରହିଛନ୍ତି । ୫ ଦଫା ଦାବିଗୁଡ଼ିକ ମଧ୍ୟରେ ତୁରନ୍ତ ନୀଳାଚଳ କାରଖାନାକୁ ପ୍ରଦାନ କରାଯାଇଥିବା ଖଣି ଚାଲୁକରାଯିବା , କାରଖାନା ପରିସରରେ ଥିବା ଉତ୍ପାଦିତ ସାମଗ୍ରୀ ବିକ୍ରି କରି କର୍ମଚାରୀଂକର ବକେୟା ୧୦ମାସର ଦରମା ପ୍ରଦାନ, ମେଡ଼ିକାଲ ସୁବିଧା ଏଲଟିସି , ଟିଉସନ ଫି ଇତ୍ୟାଦି ପ୍ରଦାନ କରାଯିବାକୁ ଦାବି ହୋଇଥିଲା । ପି.ଏଫ, ଗ୍ରାଚ୍ୟୁଟି, ପ୍ରିମିୟମ ତୁରନ୍ତ ପୈଠ କରାଯିବାବାକୁ ଦାବି ହୋଇଥିଲା। ପୂର୍ବରୁ ନିଲମ୍ବିତ କର୍ମଚାରୀମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବାକୁ ମଧ୍ୟ ଦାବି ହୋଇଛି। ଏହି ଆନ୍ଦୋଳନରେ ମଜଦୁର ୟୁନିୟନର ପ୍ରିୟନାଥ ମହାନ୍ତ, ବଷ୍ଣୁ ଚରଣ ବଶ୍ବାଳ, ଅଭିରାମ ଦାସ, ଦେବେନ୍ଦ୍ର ମହାନ୍ତ, ବେଣୁଧର ମହାନ୍ତ, ଦମା ପୂର୍ତ୍ତି, ପ୍ରତାପ ବେହେରା, ସୁଧାଂଶୁ ଶେଖର ସାହୁଂକ ସମେତ ବହୁ ଶ୍ରମିକ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର