ରଥଯାତ୍ରା ଆଜି, ରଥ-ପଥ ପ୍ରସ୍ତୁତ

ଅନୁଗୁଳ: ରାତି ପାହିଲେ ପ୍ରଭୁ କାଳିଆ ଠାକୁରଙ୍କ ପ୍ରସିଦ୍ଧ ଘୋଷ ଯାତ୍ରା। ଏଥିଲାଗି ଅନୁଗୁଳର ଶୈଳ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ରଥଯାତ୍ରା ନିମନ୍ତେ ସକାଳ ସାଢ଼େ ୭ଟାରେ ରଥ ପ୍ରତିଷ୍ଠା, ୮ଟାରେ ଶ୍ରୀଜିଉମାନଙ୍କ ମଂଗଳାର୍ପଣ ନୀତି, ୯ଟାରେ ପହଣ୍ଡି ବିିଜେ, ୧୧ଟାରେ ଶ୍ରୀ ଶ୍ରୀ ମଦନ ମୋହନଙ୍କର ରଥକୁ ବିଜେ, ୧୨ଟାରେ ଛେରାପହଁରା ନୀତି ସଂପନ୍ନ ହେବା ପରେ ଅପରାହ୍‌ଣ ୩ଟାରେ ରଥଟଣା ଆରମ୍ଭ ଓ ସାଢ଼େ ୬ଟାରେ ରଥ ଶ୍ରୀଗୁଣ୍ଡିଚା ଚକଡ଼ା ପ୍ରବେଶ କାର୍ଯ୍ୟକ୍ରମ ରହିଛି। ତେବେ ରଥଯାତ୍ରା ସମୟରେ ଦୁଇଟି ସ୍ଥାନରେ ଶୁଖିଲା ଭୋଗ ଲାଗି ହେବ। ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟ ଓ ଥାନା ସମ୍ମୁଖରେ ପୂଜାର୍ଚ୍ଚନା କରାଯିବ। ଜିଲ୍ଲା ଦୌରା ଜଜ୍ ତଳେ ଥାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ତେବେ ଥାନା ଛକ ଠାରେ ଏସ୍‌ପି ପ୍ରତିବର୍ଷ ଭଳି ରଥ ଉପରକୁ ଚଢ଼ି ପୂଜାର୍ଚ୍ଚନା କରିବେ। ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସମାଗମ ହୋଇଥାଏ। ସ୍ଥାନେ ସ୍ଥାନେ ପାନୀୟ ଜଳ ବଣ୍ଟନର ବ୍ୟବସ୍ଥା ରହିଛି। ଭ୍ରାମ୍ୟମାଣ ଚିକିତ୍ସା ସେବା ଟିମ୍ ବି ପ୍ରସ୍ତୁତ ରହିଥିବେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବାର ନିୟମ ରହିଛି। ସହାୟତା ପାଇଁ ବିଭିନ୍ନ ସଂଗଠନ ବି ସ୍ବେଚ୍ଛାକୃତ ଭାବେ ସେବା ଯୋଗାଇଦେବେ ବୋଲି ଜଣାପଡ଼ିଛି। ରଥଯାତ୍ରା ଅବସରରେ ଆସନ୍ତା ୫ ତାରିଖ ରଥାବତରଣ ଓ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମଣ୍ଡପ ବିଜେ, ୮ ତାରିଖ ହେରା ପଞ୍ଚମୀ ଓ ୯ ତାରିଖ ଦିନ ଶ୍ରୀଜିଉମାନଙ୍କଠାରୁ ଆଜ୍ଞାମାଳ ଆସି ତିନି ରଥରେ ବନ୍ଧାଯିବ ଓ ରଥ ଦକ୍ଷିଣ ମୋଡ଼‌ ହେବ। ସେହିପରି ୧୧ ତାରିଖ ସନ୍ଧ୍ୟାରେ ପର୍ଶୁରାମାଷ୍ଟମୀ ପର୍ବ, ୧୨ ତାରିଖ ବାହୁଡ଼ା ରଥଯାତ୍ରା, ୧୩ ତାରିଖ ସୁନାବେଶ, ୧୪ ତାରିଖ ଶ୍ରୀଜିଉମାନଙ୍କ ଅଧରପଣା ଲାଗି, ଲକ୍ଷ୍ମୀ ନାରାୟଣ ଭେଟ ଓ ରତ୍ନସିଂହାସନ ବିଜେ ସହ ରଥଯାତ୍ରା ସଂପନ୍ନ ହେବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରଥଯାତ୍ରା ପରିପ୍ରେକ୍ଷୀରେ ଆସନ୍ତା ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମଣ୍ଡପ ଓ ୧୨ରୁ ୧୩ ତାରିଖ ପର୍ଯ୍ୟନ୍ତ ସିଂହଦ୍ବାରଠାରେ ସନ୍ଧ୍ୟା ୭ରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସ କହିଥିଲେ।

ସମ୍ବନ୍ଧିତ ଖବର