ଏକ୍ସପ୍ରେସ ରହଣି ଦାବିରେ ରେଳରୋକ ଘଟଣା ୨୩ ଜଣଙ୍କ ନାଁରେ ମାମଲା

ଦେଓଗାଁ,: ୨୦ ବର୍ଷରୁ ଅଧିକ ହେଲା ଦେଓଗାଁରେ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି ହୋଇ ଆସୁଛି। ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ କେହି ନ ଶୁଣିବାରୁ ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ଜଣାଇ ଗତ ଅଗଷ୍ଟ ୩ ତାରିଖ ଦିନ ରେଲରୋକ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ଦେଓଗାଁ, ଗୁଡ଼ଭେଲା, ବଲାଙ୍ଗୀର ସଦର ବ୍ଲକର କିଛି ଅଂଶ ଓ ସଇଁନ୍ତଲା ବ୍ଲକର କିଛି ଅଂଶର ଲୋକ ଅଂଶ ଗ୍ରହଣ କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ଭୃକ୍ଷେପ ନ କରି ରେଳ ବିଭାଗ ଚୁପ ପଡ଼ିଥିଲା। ଆନ୍ଦୋଳନ ସ୍ଥଳକୁ ବିଭାଗୀୟ ଅଧିକାରୀମାନେ ଆସି ନ ଥିବାରୁ ଆନ୍ଦୋଳନ ତୀବ୍ର ହୋଇଥିଲା। ଦିନ ୧ଘଣ୍ଟା ପରେ ଧାରଣାସ୍ଥଳକୁ ସମ୍ବଲପୁର ଡିଆରଏମ କର୍ମଚାରୀ ପଠାଇଥିଲେ। ସେହି ସମୟରେ ପ୍ରତିଶ୍ରୁତି ମିଳିଥିଲା ଯେ, ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ହେଲେ ବିଭାଗୀୟ ନିଷ୍ପତ୍ତି ହୋଇଛି ସାତ ଦିନ ମଧ୍ୟରେ ତପସ୍ବନୀ ରହିବ ଓ ଇସ୍ପାତ ଓ ପୁରୀ-ଦୁର୍ଗ ରହିବା ପାଇଁ ବୋର୍ଡ଼କୁ ଅନୁମତି ମଗାଯିବ। ସାତ ଦିନ ଅପେକ୍ଷା କରିବାକୁ କୁହାଯାଇଥିଲା। ହେଲେ ଅଞ୍ଚଳବାସୀ ଶୃଙ୍ଖଳା ସହ ୭ମାସ ଅପେକ୍ଷା କଲେ। ଏହି ସମୟ ମଧ୍ୟରେ ବାରମ୍ବାର ଅଧିକାରୀମାନଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି। ହେଲେ ମିଛ ଓ ଠକୁଥିବା ଜଣାପଡ଼ିବା ପରେ ଆଗତୁରା ଜଣାଇ ଗତ ୨୦ ତାରିଖ ଦିନ ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ। ହେଲେ ରେଳ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅଞ୍ଚଳର ଶତାଧିକ ଲୋକଙ୍କ ମଧ୍ୟରୁ ୨୩ ଜଣଙ୍କ ନାମରେ ବେଆଇନ ଭାବେ ଟ୍ରେନ ଚଳାଚଳକୁ ବନ୍ଦ କରିଥିବାରୁ ଆନୁଷ୍ଠାନିକ ଭାବେ କେସ କରାଯାଇଥିବା ଜଣାପଡ଼ିଛି। ରେଳ ବିଭାଗର ଏହି ନିଷ୍ପତ୍ତିକୁ ଅଞ୍ଚଳବାସୀ ବିରୋଧ କରୁଥିବା ଦେଖାଯାଇଛି। ନିଜର ହକ ପାଇଁ ମାସ ମାସ ଅପେକ୍ଷା କରିବା ପରେ ମଧ୍ୟ କେହି ନ ଶୁଣିବା। ପରିଶେ‌ଷରେ ଆନ୍ଦୋଳନ କରିବାରୁ କଣ୍ଠରୋଧ କରିଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ୨୦ ତାରିଖ ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ନିଶ୍ଚିତ ହେବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର