୧୦ ଦିନରେ ଦୁଇ ଥର ଡକାୟତି, ପୁଲିସ ହାତ ଖାଲି:‘୩ ଦିନ ଭିତରେ ନ ଧରିଲେ ଆନ୍ଦୋଳନ’

ଦେଓଗାଁ: ମାତ୍ର ୧୦ ଦିନ ମଧ୍ୟରେ ଦେଓଗାଁ ଅଞ୍ଚଳରେ ସମାନ ଢଙ୍ଗରେ ଦୁଇ ଦୁଇ ଥର ଡକାୟତି ଘଟିଲାଣି। ପ୍ରଥମେ ଜଣେ କପଡ଼ା ବ୍ୟବସାୟୀ ଓ ପରେ ଜଣେ ଦୋକାନୀକୁ ଆକ୍ରମଣ କରି ଟଙ୍କା ଲୁଟ୍‌ କରି ଡକାୟତ ଦଳ ଫେରାର ହୋଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଧର୍ମକୁ ଆଖି ଠାର ପରି କାମ କରିବାରୁ ଅଞ୍ଚଳର ବ୍ୟବସାୟୀ, ବାଟୋଇମାନେ ଅସୁରକ୍ଷିତ ମଣୁଛନ୍ତି। ୭୨ ଘଣ୍ଟା ମଧ୍ୟରେ ଡକାୟତ ଦଳ ଧରା ନ ପଡ଼ିଲେ ରାଜପଥ ବନ୍ଦ ଓ ପୁଲିସ ଫାଣ୍ଡିରେ ଧରଣା ଦିିଆଯିବ ବୋଲି ବଣିକ ସଂଘ ଧମକ ଦେଇଛି।

ଗତ ୨୦ ତାରିଖ ଦିନ ଦୁଇ ପହରରେ ଟିଟିଲାଗଡ଼ରୁ  କପଡ଼ା ବ୍ୟବସାୟ କରି ଫେରୁଥିବା ବହଲି ଗାଁର ବାଞ୍ଛାନିଧି ମେହେରଙ୍କୁ ଜାତୀୟ ରାଜପଥରୁ ବହଲି ରାସ୍ତାରେ ମାଡ଼ ମାରି ୭୦ ହଜାର ଲୁଟି ନେଇ ଡକାୟତମାନେ ଚମ୍ପଟ ମାରିଥିଲେ। ସେହିପରି ସମାନ ଢଙ୍ଗରେ ୨୮ ତାରିଖ ରାତି ପ୍ରାୟ ୮ଟାରେ ସେହି ବହଲି ଗାଁର ପିଙ୍କୁ ପୁରୋହିତ ଦେଓଗାଁ ଡାକ ବଙ୍ଗଳାସ୍ଥିତ ତାଙ୍କ ଦୋକାନରୁ ବାଇକ (ଓଆର ୦୩ ଏ ୮୫୬୯)ରେ  ଘରକୁ ଯାଉଥିବା ସମୟରେ ରାଜପଥ ଉପରେ ମାଡ଼ ମାରି ବ୍ୟାଗରେ ଥିବା  ୭୦ ହଜାର ଟଙ୍କା ସହ ୪ଟି ମୋବାଇଲ ଫୋନ, ୧୦ ହଜାର ଟଙ୍କା ମୋବାଇଲ ଭାଉଚର ଏବଂ ଦୋକାନ ଚାବି ଲୁଟି ନେଇଥିଲେ। ମାଡ଼ ଯୋଗୁଁ ତାଙ୍କ ମୁଣ୍ଡରେ ୮ଟି ଷ୍ଟିଜ ପଡ଼ିଥିବା ଜଣାପଡ଼ିଛି। ଲୁଟେରାମାନେ ନେଇଯାଇଥିବା ବ୍ୟାଗ ବଲାଙ୍ଗୀର ରେଲ ଷ୍ଟେସନ ନିକଟରେ ଥିବା ଖୁଜେନପାଲିରେ ମିଲିଥିଲେ ମଧ୍ୟ ବ୍ୟାଗ ଭିତରେ ଥିବା ଟଙ୍କା, ମୋବାଇଲ ଫୋନ ନଥିଲା। ୧୦ ହଜାର ଟଙ୍କାର ଭାଉଚର ଚିରି ଦେଇଥିବା ଜଣାପଡ଼ିଛି।

କିଛି ମାସ ତଲେ ଜାତୀୟ ରାଜପଥ କଡ଼ରେ ଥିବା ମଦନ ରଣାଙ୍କ ଘରକୁ ଦୁର୍ବୃତ୍ତ ପଶି ପରିବାରର ପୁରୁଷ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଅଘାତ କରି ଫେରାର ହେବା ପରେ ଦେଓଗାଁ ପୁଲିସ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ପ୍ରକୃତ ଦୋଷୀମାନଙ୍କୁ ଚିହ୍ନଟ କରି ପାରି ନାହିଁ। ଡକାୟତମାନଙ୍କୁ ଚିହ୍ନଟ କରି ଗିରଫ କରିବା ଦାବି କରି ଗୁରୁବାର ୧୦ଟା ସମୟରେ କୁତୁର୍ଲା ପଞ୍ଚାୟତର ବିଭିନ୍ନ ଗାଁର ଲୋକ ଓ ଦେଓଗାଁ ଡାକ ବଙ୍ଗଳା ବଣିକ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ, ବଲାଙ୍ଗୀର ଏସପି, ଦେଓଗାଁ ତହସିଲଦାର, ତୁଷରା ଥାନା ଅଧିକାରୀ ସହ ପୁଲିସ ଫାଣ୍ଡିକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର