ଟ୍ରେନ୍‌ ତଳେ ପଡ଼ି ଗୋଡ଼ ହରାଇଲେ ଶ୍ରମିକ :ଆର୍‌ପିଏଫ୍‌କୁ ଦାୟୀ କଲେ ସାଥୀ

ଟିଟିଲାଗଡ଼: ମଙ୍ଗଳବାର ଟିଟିଲାଗଡ଼ ରେଳ ଷ୍ଟେସନରେ ଯଶବନ୍ତପୁର -ହାଟିଆ ଏକ୍ସପ୍ରେସ ଟ୍ରେନର ଚକ ତଳେ ପଡ଼ି ବିନୋଦ ସିଂ ନାମକ ଜଣେ ଶ୍ରମିକ ଗୋଡ଼ ହରାଇଛନ୍ତି।
ମଙ୍ଗଳବାର ଦିନ ପ୍ରାୟ ୧୦ଟାରେ ଯଶବନ୍ତପୁର- ହାଟିଆ ଟ୍ରେନ୍‌ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚି ଥିଲା। ଏଥିରେ ଝାଡ଼ଖଣ୍ଡ ରାଜ୍ୟର ବିନୋଦ ସିଂ, ସୂର୍ଯ୍ୟପ୍ରସାଦ ଭୂୟାଁ, ଭଗବାନ ଭୂୟାଁ ଓ ଅମିତ କୁମାର ପ୍ରମୁଖ ୪ ଜଣ ଶ୍ରମିକ ବାଙ୍ଗାଲୁରୁରୁ ରାଉରକେଲା ଯାଉଥିଲେ। ସେମାନେ ସାଧାରଣ ବଗିର ଗେଟ ପାଖରେ ଛିଡା ହୋଇଥିବା ବେଳେ ସେମାନଙ୍କ ପାଖରେ ଟିକଟ ଥିବା ସତ୍ତ୍ୱେ ଟିଟିଲାଗଡ ଆରପିଏଫର ଯବାନମାନେ ତାଙ୍କୁ କୁଆଡ଼େ ଜୋର ଜବରଦସ୍ତ ଟ୍ରେନରୁ ଓହ୍ଲାଇ ଆର୍‌ପିଏଫ ପୋଷ୍ଟକୁ ଆଣିଥିଲେ। ସେଠାରେ ସେମାନଙ୍କୁ ମାରଧର କରିବା ସହ ତାଙ୍କୁ ଟଙ୍କା ମଧ୍ୟ ମଗା ଯାଇଥିବା ଅଭିଯୋଗ ହୋଇଛି। ତେବେ ସେମାନେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଠିକ୍‌ ଗାଡ଼ି ଛାଡିବା ସମୟରେ ଆରପିଏଫ ଯବାନମାନେ ତାଙ୍କୁ ଯିବାକୁ କହିଥିଲେ। ଫଳରେ ଚଳନ୍ତା ଗାଡ଼ିରେ ଚଢୁଥିବା ବେଳେ ସେମାନଙ୍କ ମଧ୍ୟରୁ ବିନୋଦ ସିଂ ନାମକ ଶ୍ରମିକ ରେଳ ଚକ ତଳେ ପଡ଼ିଯିବାରୁ ତାଙ୍କର ଗୋଟିଏ ଗୋଡ ଛିଣ୍ଡି ଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣା ଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା।
ଏ ବିଷୟରେ ଟିଟିଲାଗଡ଼ ଆର୍‌ପିଏଫ୍‌ ଥାନାଧିକାରୀ ସୁଶିଳ ପାଠକ କହିଛନ୍ତି ଯେ, ସେମାନଙ୍କୁ ଆର୍‌ପିଏଫ ଧରି ନଥିଲା କି କୌଣସି ଟଙ୍କା ମଧ୍ୟ ମାଗି ନଥିଲା। ରେଳ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ଆର୍‌ପିଏଫ୍‌ ଯବାନମାନେ ଟ୍ରେନରେ ଯାଞ୍ଚ କରୁଥିବା ବେଳେ ମହିଳା ବଗିରେ ବସିଥିବା ୨ଜଣ ଯୁବକ ଓ ଗେଟ ନିକଟରେ ବସିଥିବା ୨ଜଣ ଯୁବକଙ୍କୁ ଧରିଥିଲେ। ଏହି ଯୁବକ ଜଣକ ଟ୍ରେନ ଚ୍‌ଢିବାରେ ଅବହେଳା ଯୋଗୁଁ ଖସି ପଡିଥିବା ସେ କହିଛନ୍ତି। ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର