ସୋହେଲା: ୫୩ ନମ୍ବର ଜାତୀୟ ରାଜପଥର ସୋହେଲାରୁ ୧୦ କି.ମି. ଦୂର ଅଏଁଲାପାଲି ଛକରେ ମଙ୍ଗଳବାର ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଛତିଶଗଡ଼ ରାଜ୍ୟ ଜାଜଙ୍ଗିର ଜିଲ୍ଲା ଜେଜେପୁର ଥାନା ଚାମା ଗ୍ରାମର ମନୁ ଚନ୍ଦର ବଢ଼େଇ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ମନୁଚନ୍ଦର ଅନ୍ୟ ଦୁଇ ଜଣ ଲୋକଙ୍କ ସହ ଏକ ବାଇକ୍ରେ ସରାଇପାଲି ପଟୁ ସୋହେଲା ଆଡ଼କୁ ଆସୁଥିବା ବେଳେ ସାମ୍ନାପଟୁ ଦ୍ରୁତ ଗତିରେ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ମନୁଚନ୍ଦରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିଲେ। ପିସିଆର ଭ୍ୟାନ ସେମାନଙ୍କୁ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ଆଣିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଚି। ସୋହେଲା ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇବା ସହ ଥାନା କେସ୍ ନଂ. ୧୫୬/୧୮ରେ ଏକ ମାମଲା ରୁଜୁ କରିଛି। ଉଭୟ ଗାଡ଼ିକୁ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି।