କୁଆମରା ଅଞ୍ଚଳରେ ହାତୀ ଉତ୍ପାତ:ଗାଁରେ ପଶିଲା, ଆତଙ୍କ ଖେଳାଇଲା

ଗଛଲତା ନଷ୍ଟ, ବାଇକ୍ ଚୂନା: ନୀଳଗିରି ବନ ବିଭାଗ ତତ୍ପର

କୁଆମରା/ନୀଳଗିରି: ମାସେ ତଳେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ହାତୀପଲ ମୟୂରଭଂଜ ଜିଲ୍ଲା କୁଆମରା ରିଜର୍ଭ ଜଙ୍ଗଲକୁ ଆସି ଗୋଟିଏ ଦିନ ପରେ ଫେରିଯାଇଥିଲା। ଏତିକିବେଳେ ପୁଣିଥରେ ଏକ ଦନ୍ତା କୁଆମରା ଜଙ୍ଗଲରେ ପଶି ଆତଙ୍କ ସୃଷ୍ଟି କରିଛି।
ଆଜି ସକାଳେ କୁଆମରା ପାଳଶା ଜଙ୍ଗଲରୁ ହାତୀଟି ବାହାରି ଗ୍ରାମ ଭିତରକୁ ପଶିଥିଲା। ଲୋକେ ଦନ୍ତାକୁ ଘଉଡ଼ାଇ ଥିଲେ ମଧ୍ୟ ପରେ ଖିରିପଦା ଗ୍ରାମରେ ପଶି ଗଛଲତା ନଷ୍ଟ କରିବା ସହ ଏକ ବାଇକ୍‌କୁ ଭାଙ୍ଗି ଚୂନା କରିଥିଲା। ପରେ କଡ଼ଦା ଦେଇ କୁଆମରା ପହଞ୍ଚି ଦିନସାରା ଗ୍ରାମରେ ଆତଙ୍କ ସୃଷ୍ଟି କରିବା ସହ ସ୍ଥାନୀୟ ବିଦ୍ୟାଳୟ ନିକଟରେ ଥିବା ଆଦିବାସୀ ସାହିରେ ପଶିଥିଲା। ଖବର ପାଇ ବନ କର୍ମଚାରୀ ଆସି ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ହେ‌େଲ ସେମାନେ ଏଥିରେ ସଫଳ ହୋଇପାରିନଥିଲେ। ତେବେ ପରେ ‌ସେ କାଳିଆପଦା ରାସ୍ତାରେ ପଳାଇଯାଇଛି। ଯାହା ଜଣାପଡ଼ିଛି, ଦନ୍ତାଟି ଅସୁସ୍ଥ ରହିଛି।
ଉଦଳା ରେଞ୍ଜର ଅଜୟ ଦାସଙ୍କ ନେତୃତ୍ୱରେ ଉଦଳା, ଡୁକୁରା, କୁଆମରା, କପ୍ତିପଦା ବନ ବିଭାଗର କର୍ମଚାରୀ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲାଗିଛନ୍ତି। ହାତୀ ପାଇଁ ସଂପୃକ୍ତ ଅଞ୍ଚଳରେ ଆଜି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍ ହୋଇଛି। ଯାହାଦ୍ବାରା ପ୍ରବଳ ଗରମ ଯୋଗୁ ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡ଼ିଛି। ତେବେ ଶେଷ ଖବର ଲେଖାଯିବା ବେଳକୁ ଦନ୍ତାଟି ଜୟିଦା ନିକଟରେ ରହିଥିବା ସୂଚନା ମିଳିଛି।
ଅନ୍ୟପଟେ ହାତୀଟି ବାଲେଶ୍ବର ଜିଲ୍ଲା ନୀଳଗିରି ମୁଁହା ହେବା ନେଇ ଆଶଂକା କରାଯାଉଛି। ଫଳରେ ନୀଳଗିରି ରେଞ୍ଜ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ମିତ୍ରପୁର ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ବରେ ନୀଳଗିରି ବନବିଭାଗ ପକ୍ଷରୁ ଏକ ୧୦ ଜଣିଆ ଟିମ୍ ଗତକାଲିଠାରୁ ବାଲେଶ୍ବର-ମୟୂରଭଞ୍ଜ ସୀମାନ୍ତରେ ଜଗି ରହିଥିବା ରେଞ୍ଜର ସୁକୁମାର ଦାସ ସୂଚନା ଦେଇଉନ୍ତି। ଟିମ୍‌ରେ ନୀଳଗିରି ଫରେଷ୍ଟର ଦେବରାଜ ରାଉତ, ସଜନାଗଡ଼ ଫରେଷ୍ଟର ସରୋଜ ପ୍ରଧାନ, ଫରେଷ୍ଟ ଗାର୍ଡ, ସବୁଜବାହିନୀ ସମେତ ୧୦ରୁ ଅଧିକ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର