ପ୍ରତାପୁର ବାଲିଘାଟ ଟେଣ୍ଡରରେ ଚଞ୍ଚକତା!

ଲିଜ୍ ୨୫ ହଜାର କ୍ୟୁବିକ୍ ମିଟର୍, ପରିବେଶ ମଞ୍ଜୁରୀ ମିଳିଛି ୧୭୦୦ ପାଇଁ

ରାୟଗଡ଼ା: ଲିଜ୍ ୨୫ ହଜାର କ୍ୟୁବିକ୍ ମିଟର ପାଇଁ। ପରିବେଶ ମଞ୍ଜୁରି ହାତେଇବା ବେଳକୁ ଧାର୍ଯ୍ୟ ଲକ୍ଷ୍ୟ ଖସିଲା ୧୭୦୦ କ୍ୟୁବିକ୍ ମିଟରକୁ। ଫଳରେ ୨ କୋଟି ୬୫ ଲକ୍ଷ ବଦଳରେ ସରକାରୀ ତହବିଲକୁ ରାଜସ୍ବ ବାବଦକୁ ଆସିଲା ମାତ୍ର ୨୩ ଲକ୍ଷ ଟଙ୍କା। କ୍ୟୁବିକ୍ ମିଟର ପିଛା ୧୦୫୭ ଟଙ୍କାରେ ଟେଣ୍ଡର ନେଇ ଏପରି ଚଞ୍ଚକତା କରିଛନ୍ତି ଠିକାଦାର। ଚଞ୍ଚକତା ସମ୍ପର୍କରେ ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ଅବଗତ ହେବା ପରେ ପରିବେଶ ମଞ୍ଜୁରୀ ପ୍ରଦାନ କରିଥିବା ସୋଆ (ଷ୍ଟେଟ୍ ଲେଭଲ୍ ଏନଭାଇରନମେଣ୍ଟାଲ୍ ଇମ୍ପାକ୍ଟ ଆସେସମେଣ୍ଟ୍ ଅଥରିଟ୍) କର୍ତ୍ତୃପକ୍ଷଙ୍କୁ। ରାୟଗଡ଼ା ତହସିଲ୍ ପିତାମହଲ ରାଜସ୍ବ ସର୍କଲ ଅଧୀନରେ ଥିବା ନାଗାବଳୀ ନଦୀଶର୍ଯ୍ୟାର ପ୍ରତାପୁର ବାଲିଘାଟ ପାଇଁ ୨୦୨୧ ନଭେମ୍ବରରେ ଟେଣ୍ଡର ଡାକିଥିଲା ବିଭାଗ। ଟେଣ୍ଡରରେ ୨୦ରୁ ଉର୍ଦ୍ଧ୍ବ ଠିକାଦାର ଅଂଶଗ୍ରହଣ କରିଥିବା ବେଳେ ଆଞ୍ଚଳିକ ଠିକାଦାର କ୍ୟୁବିକ୍ ମିଟର୍ ପିଛା ୫୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର ଆହ୍ବାନ କରିଥିଲେ। କିନ୍ତୁ ଭୁବନେଶ୍ବରର ଠିକାଦାର ଅକ୍ଷୟ କୁମାର ମହାନ୍ତି କ୍ୟୁବିକ୍ ମିଟର ପିଛା ୧୦୫୭ ଟଙ୍କାରେ ଟେଣ୍ଡର ଆହ୍ବାନ କରିଥିବାରୁ ତହସିଲ କର୍ତ୍ତୃପକ୍ଷ ଅନ୍ୟ ଠିକାଦାରଙ୍କ ଟେଣ୍ଡରକୁ ବିଚାରକୁ ନେଇନଥିଲେ। ଶ୍ରୀ ମହାନ୍ତି ଟେଣ୍ଡର ହା‌ତେଇବା ପରେ ପରିବେଶ ମଞ୍ଜୁରୀ ପାଇ ସୋଆ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନକୁ ବିଚାରକୁ ନେଇ ସୋଆ ୨୦୨୨ ଏପ୍ରିଲ୍ ୨୭ ତାରିଖରେ ମାତ୍ର ୧୭୦୦ କ୍ୟୁବିକ୍ ମିଟର ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରିଥିଲା। ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ଲିଜ୍ ଅଞ୍ଚଳରୁ ୧୭୦୦ କ୍ୟୁବିକ୍ ମିଟର ବାଲି ଉଠାଇବା ପାଇଁ ପରିବେଶ ମଞ୍ଜୁରୀରେ ଉଲ୍ଲେଖ ରହିଛି। ଅକ୍ଟୋବର ପରେ ପୁଣି ପରିବେଶ ମଞ୍ଜୁରୀ ପ୍ରଦାନ ଦିଗରେ ବିଚାର କରାଯିବା ନେଇ ସୋଆ ଉଲ୍ଲେଖ କରିବାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସନ୍ଦେହ ବଢ଼ିଥିଲା। ସମ୍ପୂର୍ଣ୍ଣ ଲିଜ୍ ଅଞ୍ଚଳ ବଦଳରେ କାହିଁକି ଏବଂ କେଉଁ କାରଣ ପାଇଁ ୧୭୦୦ କ୍ୟୁବିକ୍ ମିଟର ପାଇଁ ପରିବେଶ ମଞ୍ଜୁରୀ ମିଳିଲା ତାକୁ ନେଇ କୌଣସି ସଠିକ୍ ସୂଚନା ପାଇ ପାରୁନାହାଁନ୍ତି ତହସିଲ୍ କର୍ତ୍ତୃପକ୍ଷ।

ଜିଲ୍ଲାସ୍ତରୀୟ ରାଜସ୍ବ ବୈଠକରେ ଏ ସମ୍ପର୍କରେ ରାୟଗଡ଼ା ତହସିଲଦାର ତାପସ ରାଉତ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅବଗତ କରିବା ପରେ ଜିଲ୍ଲାପାଳ ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିକଟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସଚିବ ଶ୍ରୀ ସାହୁ ସୋଆ କର୍ତ୍ତୃପକ୍ଷଙ୍କୁ ପ୍ରତାପୁର ଘାଟ ପରିବେଶ ମଞ୍ଜୁରି ସମ୍ପର୍କରେ ପଚାରିବା ସହ ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ସେପଟେ ଏଯାବତ୍ ଠିକାଦାର ପ୍ରତାପୁର ସୈରାତରୁ ବାଲି ଉଠାଇବା ଆରମ୍ଭ କରିନି। ବାଲି ଉଠାଇବା ଆରମ୍ଭ କରିବା ପରେ ୧୭୦୦ କ୍ୟୁବିକ୍ ମିଟର ପାଇଁ ୱାଇ ଫର୍ମ ପ୍ରଦାନ କରାଯିବ ବୋଲି ତହସିଲ କର୍ତ୍ତୃପକ୍ଷ କହିଛନ୍ତି। ପୂର୍ବରୁ ବିନା ୱାଇ ଫର୍ମରେ ରାତାରାତି ଆନ୍ଧ୍ରକୁ ଶହ ଶହ କ୍ୟୁବିକ୍ ମିଟର ବାଲି ଚାଲାଣ ହେବାର ନଜିର ରହିଥିବା ବେଳେ ଚୋରା ଚାଲାଣକୁ କିଏ ରୋକିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ୨୦୧୬ରୁ ମୋକାମ୍ବିକା କନଷ୍ଟ୍ରକସନ୍ କମ୍ପାନି ପ୍ରତାପୁର ବାଲିଘାଟକୁ ୫ବର୍ଷ ପାଇଁ ଲିଜସୂତ୍ରରେ ନେଇଥିଲା। ୨୦୨୧ ମାର୍ଚ୍ଚରେ ମୋକାମ୍ବିକାର ଲିଜ୍ ଅବଧି ସରିବା ପରେ ନୂତନ ଟେଣ୍ଡର ଆହ୍ବାନ କରାଯାଇଥିଲା। ମୋକାମ୍ବିକା ୫ ବର୍ଷରେ ୧୦ ହଜାର କ୍ୟୁବିକ୍ ମିଟର୍ ପାଇଁ ଲିଜ୍ ନେବା ସହ ସଂପୃକ୍ତ ପରିମାଣର ବାଲି ଉଠାଇବା ପାଇଁ ସୋଆରୁ ପରିବେଶ ମଞ୍ଜୁରୀ ହାତେଇଥିଲା। ନୂତନ ଟେଣ୍ଡର ୨୫ ହଜାର ୧୦୦ କ୍ୟୁବିକ୍ ମିଟର ଲାଗି ହୋଇଥିବା ବେଳେ ସୋଆ କିପରି ଭାବେ ୧୭୦୦ କ୍ୟୁବିକ୍ ମିଟର୍ ପାଇଁ ମଞ୍ଜୁରୀ ଦେଲା ତାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର