ଇତିହାସର ଆଇନାରେ ଭବାନୀପାଟଣା ସହର-୩, ଚର୍ଚ୍ଚାରେ କଳାହାଣ୍ଡି ରାଜ୍ୟର ରୋଲସ୍‌ ରଏସ୍‌ କାର୍‌

ଭବାନୀପାଟଣା: କଳାହାଣ୍ଡି ରାଜ୍ୟ ସମଗ୍ର ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା। କଳାହାଣ୍ଡି ରାଜ୍ୟର ରୋଲସ୍‌ ରଏସ୍‌ କାର୍‌ ଦେଶ ବିଦେଶରେ ବହୁ ସୁନାମ ଆଣିଛି। ଏପରିକି ୨୦୧୩ ମସିହାରେ ମୁମ୍ବାଇ ଠାରେ ଭିଣ୍ଟେଜ୍‌ କାର ପ୍ରଦର୍ଶନୀରେ ଦେଶର ଶ୍ରେଷ୍ଠ ରକ୍ଷଣାବେକ୍ଷଣ ହୋଇଥିବା ଚଳନ୍ତା କାର୍‌ ଭାବରେ ସର୍ବଶ୍ରେଷ୍ଠ ପୁରସ୍କୃତ ହୋଇ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା।

କଳାହାଣ୍ଡି ଗଡ଼ଜାତ ରାଜ୍ୟରେ ୧୯୨୨ ମଡେଲ୍‌ର ୪ଟି ରୋଲସ୍‌ ରଏସ୍‌ କାର, ୩ଟି ଅଷ୍ଟିନ୍‌ କାର୍‌, ୨ଟି କ୍ରସଲେ କାର୍‌, ୨ଟି ବିଉକ୍‌ କାର୍‌, ୨ଟି ହମ୍ବର କାର୍‌, ୮ଟି ମିଲିଟାରି ଫୋର୍ଡ କାର୍‌ କଳାହାଣ୍ଡି ରାଜପ୍ରାସାଦରେ ରହୁଥିଲା। କିନ୍ତୁ ୧୯୩୦ ମଡେଲ୍‌ ରୋଲସ୍‌ ରଏସ୍‌ ଫ୍ୟାଣ୍ଟମ୍‌-୨ କାର୍‌ ସବୁଠୁ ଚର୍ଚ୍ଚାରେ ରହିଥିଲା। ୧୯୩୦ ମସିହାରେ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓ କଳାହାଣ୍ଡିକୁ ଆଣିଥିଲେ। ଲଣ୍ଡନରୁ ୫୨ହଜାର ଟଙ୍କା ଦେଇ କିଣାଯାଇ କଲିକତା ଅଣାଯାଇଥିଲା। ମେକାନିକ୍‌ ସର୍ଦାର ପାଲା ସିଂ କଲିକତା ଯାଇ ରୋଲସ୍‌ ରଏସ୍‌ କାର୍‌କୁ କଳାହାଣ୍ଡି ଆଣିଥିଲେ। ଓଡ଼ିଶାରେ ପ୍ରଥମଥର ପାଇଁ ଏହି କାର୍‌ ଆସିଥିବାରୁ ସାରା ଭାରତ ବର୍ଷରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି କାରର ନମ୍ବର୍ କଳାହାଣ୍ଡି ଷ୍ଟେଟ୍‌ ଏନ୍‌ ୧୧ ବୋଲି ଉଲ୍ଲେଖ ରହିଥିଲା। ଏହି କାର୍‌ରେ ସ୍ୱତନ୍ତ୍ର ଭାବରେ ହାତୀ ଦାନ୍ତ ଷ୍ଟିୟରିଂ, ପର୍ଦା ଗ୍ଲାସ, ୪ଟି ଡୋର, ଲାଇଟ୍‌ ଡିଫର ପାଇଁ ରଡ୍‌ ବ୍ୟବସ୍ଥା ଥିଲା। ପ୍ଲାଟିନମ୍‌ ହେଡ୍‌ ଓ ଚକରେ ସ୍ପୋକ୍‌ ଲାଗିଥିଲା। ରାଇଟ୍‌ ସାଇଡ୍‌ ଗିୟର, ୨ଟି ଷ୍ଟେପିନ୍‌ ଚକ୍‌ ରହିଥିଲା। କାର୍‌ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ମହାରାଜା ଅଧିକ ବୈଷୟିକ ଜ୍ଞାନକୌଶଳ ପାଇଁ ସର୍ଦାର ଉଜାଗର ସିଂ ସାନ୍ଧୁଙ୍କୁ ପାଠ ପଢ଼ିବା ପାଇଁ ପାକିସ୍ତାନ ପଠେଇଥିଲେ। ଉଜାଗର ସିଂ ପାକିସ୍ତାନର ଲାହୋର ଖାଲସା ଅଟୋ ମୋବାଇଲ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିଥିଲେ। ଏହି ରୋଲସ୍‌ ରଏସ୍‌ କାର ରକ୍ଷଣାବେକ୍ଷଣ ଠିକ୍‌ ଥିବା ଯୋଗୁଁ ଏବେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ରହିଛି। ସର୍ଦାର ସତବନ ସିଂ ସାନ୍ଧୁ ବର୍ଷକୁ ଥରେ ଯାଇ ଗାଡ଼ିଗୁଡ଼ିକ ଚଳେଇ ତଦାରଖ କରିଥାନ୍ତି। ୨୦୧୩ ମସିହାରେ ମୁମ୍ବାଇର ହୋଟେଲ୍‌ ତାଜ୍‌ ଠାରେ ଭିଣ୍ଟେଜ୍‌ କାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍‌କୁ ସର୍ଦାର ସତବନ ସିଂ ସାନ୍ଧୁ (କାକା) ମୁମ୍ବାଇ ନେଇ ଯାଇଥିଲେ। ଏହି ଗାଡ଼ିକୁ ରାସ୍ତାରେ ଚଳାଇବା ପାଇଁ ଆର୍‌ଟିଓ ଅନୁମତି ନଥିବାରୁ ଟ୍ରକ୍‌ ଯୋଗେ ଭୋପାଳ ଓ ସେଠାରୁ କଣ୍ଟେନର୍‌ ଯୋଗେ ମୁମ୍ବାଇ ନିଆଯାଇଥିଲା।

ସେଠାରେ ତାଜ୍‌ ହୋଟେଲରେ ଭିଣ୍ଟେଜ୍‌ କାର୍‌ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଉତ୍ତମ ରକ୍ଷଣାବେକ୍ଷଣ ଓ ଭଲ କଣ୍ଡିସନ୍‌ ଥିବା ଯୋଗୁଁ ପ୍ରିଜରଭେସନ୍‌ କ୍ଲାସ୍‌ କେଟାଗୋରିରେ କରଟିୟସ କଙ୍କର୍ସ ଡି.ଏଲିଗାନସ୍‌ ଦେଶର ସର୍ବଶ୍ରେଷ୍ଠ ପୁରସ୍କାର ପାଇଥିଲା। କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓ ଓ ମହାରାଣୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରଦର୍ଶନୀ ଉତ୍ସବରେ ଇଂଲଣ୍ଡର କେଣ୍ଟର ରାଜା ତଥା ରୟାଲ ଅଟୋମୋବାଇଲ କ୍ଲବ୍‌ର ସଭାପତି ପ୍ରିନ୍ସ ମିଚାଏଲ, ବିଶ୍ବର ଶ୍ରେଷ୍ଠ ରେସିଙ୍ଗ୍‌ ଡ୍ରାଇଭର ଷ୍ଟର୍ଲିଙ୍ଗ ମସ୍‌ ଓ ଆନ୍ତର୍ଜାତିକ ଟ୍ରାନ୍ସପୋର୍ଟ ଏଣ୍ଡ୍‌ ପ୍ରଡକ୍ଟ ଡିଜାଇନର ପ୍ରଫେସର ପିଟର ଷ୍ଟିଭାନ୍ସ ଯୋଗ ଦେଇଥିଲେ। ସେତେବେଳେ କଳାହାଣ୍ଡିର ଏହି କାରକୁ ପ୍ରଶଂସା କରିଥିଲେ। ସମଗ୍ର ବିଶ୍ବରେ ଏହି କାର୍‌ ଏକ ଦୁର୍ଲଭ କାର୍‌ ଭାବରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ବର୍ତ୍ତମାନର ଏହି କମ୍ପାନିର ମଡେଲ୍‌ ଭାରତରେ ୯କୋଟିରୁ ଆରମ୍ଭ ହୋଇ ୧୧ କୋଟି ପର୍ଯ୍ୟନ୍ତ ମୂଲ୍ୟ ରହିଛି। ଓଡ଼ିଶାର ପ୍ରଥମ ଦାମୀ କାର୍‌ ଭାବରେ ସାରା ଭାରତ ବର୍ଷରେ ଏକ ଗୌରବ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହି କାର ରାଜପ୍ରାସାଦର ଗ୍ୟାରେଜ୍‌ରେ ସୁରକ୍ଷିତ ଭାବରେ ରହିଛି।

ସମ୍ବନ୍ଧିତ ଖବର