ଭିଙ୍ଗାରପୁର ହସ୍ପିଟାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ

ବାଲିଅନ୍ତା: ସ୍ଥାନୀୟ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବା ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦାବି ପ୍ରସଙ୍ଗ ଏବେ ରାଜ୍ୟ ବିଧାନ ସଭାରେ ଉଠିଛି ।

ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ସର୍ବ ପୁରାତନ ଉକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ‌ଆଞ୍ଚଳିକ ହସ୍ପିଟାଲର ମାନ୍ୟତା ପ୍ରଦାନ ପ୍ରସଙ୍ଗ ଉପରେ ଆଜି ପ୍ରଶ୍ନ ଉଠାଇଥିଲେ । ବାଚସ୍ପତିଙ୍କ ଜରିଆରେ ଏହାର ଉତ୍ତର ଜାଣିବା ପାଇଁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାଶଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କ ପ୍ରଶ୍ନର ଉତ୍ତରରେ ନବ କିଶୋର ଦାଶ ଏଦିଗରେ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ୧୯୨୬ ମସିହାରେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲେ ହେଁ ଏଯାଏ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିପାରି ନାହିଁ । ୨୦୦୭/ ୦୮ ମସିହାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ପ୍ରଦାନ ନେଇ ଦାବି ହୋଇଆସୁଛି । ୧୯୧୩ ମସିହାରେ ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ବାରିକା ନାଥ ଦାଶଙ୍କ ନେତୃତ୍ବରେ ସ୍ଥାନୀୟ ଲୋକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ଦାମୋଦର ରାଉତ , ବିଭାଗୀୟ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୋର୍ଧା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏହାର ସ୍ଥିତାବସ୍ଥା ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଚିଠି କରାଯାଇଥିଲା । ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଏହାର ତଦନ୍ତ କରି ‌ରିପୋର୍ଟ ପ୍ରଦାନ କରିଥିଲେ ।

ସେବେଠାରୁ ‌ଭିଙ୍ଗାରପୁର ହସ୍ପିଟାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଫାଇଲ ପ୍ରଶାସନର ନାଲିଫିତା ତଳେ ଚାପି ହୋଇ ରହିଯାଇଛି । ଏବେ ପୁଣି ଭିଙ୍ଗାରପୁର ହସ୍ପିଟାଲକୁ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ପଦୋନ୍ନତି ପାଇଁ ଆନ୍ଦୋଳନ ଜୋର ଧରିଛି ।

ପୂର୍ବଭଳି ସ୍ଥାନୀୟ ଲୋକ ପୁନର୍ବାର ବିଭିନ୍ନ ଫୋରମରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଦାବି ଦୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଲୋକେ ଚେତାବନୀ ଦେଇଛନ୍ତି । ଏସଂପର୍କିତ ସ୍ବତନ୍ତ୍ର ଖବର ସମ୍ବାଦରେ ପ୍ରକାଶ ପାଇଥିଲା । ଖବର ପଢ଼ି ବିଧାୟକ ଡ . ଢାଲି ଆଜି ବିଧାନ ସଭାରେ ପ୍ରଶ୍ନ ଉଠାଇଥିବା କୁହାଯାଇଛି ।

ସମ୍ବନ୍ଧିତ ଖବର