ରାଜର୍ଷି ଶ୍ରୀରାମଚନ୍ଦ୍ରଙ୍କୁ ମିଳିପାରିନି ପ୍ରକୃତ ସ୍ବୀକୃତି

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ବାରିପଦା : ନବଉତ୍କଳର କର୍ଣ୍ଣଧାର ରାଜର୍ଷି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଯେତିକି ସ୍ବୀକୃତି ମିଳିବା କଥା ତାହା ମିଳିପାରିନାହିଁ। ବିଭିନ୍ନ କ୍ଷେତ୍ରରେ ସାମଗ୍ରୀକ ବିକାଶ ନିମନ୍ତେ ତାଙ୍କର ଥିବା ଦୂରଦୃଷ୍ଟି ଅବିସ୍ମରଣୀୟ। ଉତ୍ତର ପିଢ଼ୀଙ୍କ ନିମନ୍ତେ ମହାରାଜାଙ୍କ ଜୀବନ ଆଦର୍ଶ ଜାଣିବା ନିହାତି ଆବଶ୍ୟକ। ତେଣୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମ୍ପର୍କରେ ରଚନା ନିହାତି ଆବଶ୍ୟକ।

ଆଜି ଥିଲା ମହାରାଜାଙ୍କ ତିରୋଧାନ ଦିବସ। ଏହି ଅବସରରେ ମୟୂରଭଞ୍ଜ ରାଜବାଟି ପରିସରରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏଥିସହିତ ଯୁବଲେଖକ ଗୋବିନ୍ଦ ଚନ୍ଦ୍ର ମହାନ୍ତଙ୍କ ଦ୍ବାରା ଲିଖିତ ଓ ଅକ୍ଷର ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ମହାରାଜାଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ ତମ ଜୟନ୍ତୀ ବର୍ଷର ଏକ କାର୍ଯ୍ୟକ୍ରମ ଭାବେ ଉକ୍ତ ପୁସ୍ତକ ଲୋକାର୍ପଣ କରାଯାଇଛି। ମହାରାଜାଙ୍କର ଅଣନାତି ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମାଜସେବୀ ଶରତ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କବି ବୃନ୍ଦାବନ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ସ୍ବରୂପ କୁମାର ପଟ୍ଟନାୟକ, ଏକ ଦୈନିକ ଓଡ଼ିଆ ସମ୍ବାଦପତ୍ରର ସଂପାଦକ ଶୁଭେନ୍ଦୁ ଦାସ, ଲେଖକ ଆଶିଷ କୁମାର ବଶା,ରାଜକୁମାରୀ ମୃଣାଳିକା ଭଞ୍ଜଦେଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମାଜସେବୀ ଛୋଟେଲାଲ ମହାନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଲୋକାର୍ପଣ ଉତ୍ସବରେ ଲେଖକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ‌କୋରାପୁଟ ଜିଲ୍ଲାର ଜୟପୁର ନିବାସୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଚନାଯୋଗ୍ୟ ଯେ, ଆୟୋଜକଙ୍କ ଦ୍ବାରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ ତମ ଜୟନ୍ତୀକୁ ବର୍ଷ ତମାମ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଛି। ମହାରାଜାଙ୍କର ଏକ ଇଂରାଜୀ ଜୀବନୀ ପୁସ୍ତକ ନିକଟ ଭବିଷ୍ୟତରେ ପ୍ରକାଶିତ ହେବାକୁ ଯାଉଛି। ସୁକୁମାର ଦାସ,ଗୌରାଙ୍ଗ ଚରଣ ଗିରି, ଶିରିଶ ଚନ୍ଦ୍ର ମହାନ୍ତ, ଦେବବ୍ରତ ସାମଲ,ଭୀମଚରଣ ସିଂ,ଗନ୍ଧମାର୍ଦ୍ଦନ ଦେହୁରୀ ଓ ପ୍ରଫୁଲ୍ଲ ଭକ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର