ଜିଲ୍ଲାରେ ହୋଇ ପାରିଲାନି ସଂସ୍କୃତି ଭବନ: ଖର୍ଚ୍ଚ ନହୋଇ ପଡ଼ି ରହିଛି ଟଙ୍କା

ବୌଦ୍ଧ: ବୌଦ୍ଧ ଜିଲ୍ଲା ଏକ ପ୍ରାଚୀନ ଇତିହାସ ଓ ସଂସ୍କୃତିର ବାର୍ତ୍ତାବହ ହୋଇଥିଲେ ମଧ୍ୟ ଏହାର ପ୍ରାଚୀନ ସଂସ୍କୃତି ଓ କଳାକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଜିଲ୍ଲାରେ ଏକ ସଂସ୍କୃତି ଭବନ ନିର୍ମାଣ କରିବା ପାଇଁ ବହୁ ଦିନ ହେଲା ଲୋକଙ୍କ ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ଯାଏଁ ସଂସ୍କୃତି ଭବନ ଟିଏ ନିର୍ମାଣ ହୋଇ ପାରି ନାହିଁ। ସଂସ୍କୃତି ଭବନ ନିର୍ମାଣ ସହିତ କଲଚରାଲ ଅଡିଟୋରିୟମ ଓ ସ୍ପୋର୍ଟସ ରୁମ୍‌ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ସହିତ ୨ କୋଟି ଟଙ୍କାର ଅନୁଦାନ ରାଶି ମଧ୍ୟ ମଂଜୁର କରି ସାରିଛନ୍ତି। ମାତ୍ର ଜିଲ୍ଲାରେ ଅଡିଟୋରିୟମ ନିର୍ମର୍ର୍ାଣ ହୋଇ ପାରୁ ନାହିଁ କି ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ପାରୁ ନାହିଁ। ସଂସ୍କୃତି ଭବନ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଜୁଲାଇ ୨୦୧୭ ମସିହାରୁ ଜିଲ୍ଲାପ୍ରଶାସନ ପାଖରେ ମଧ୍ୟ ରହିଛି। ଉକ୍ତ ଭବନ ରାସ୍ତା ଓ କୋଠାବାଡ଼ି ବିଭାଗ ଦ୍ୱାରା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବେଳେ ଉକ୍ତ ୨୦ ଲକ୍ଷ ଟଙ୍କାକୁ ପୂର୍ତ୍ତ ବିଭାଗକୁ ଗତ ବର୍ଷ ଜୁଲାଇ ମାସରୁ ହସ୍ତାନ୍ତର କରାଯାଇଛି।

ସଂସ୍କୃତି ଭବନ ନିର୍ମାଣ ହେଲେ ସେଠାରେ ଜିଲ୍ଲାର ଲୁପ୍ତପ୍ରାୟ କଳା ଓ ସଂସ୍କୃତିର ଛାପ ଥିବା ବିଭିନ୍ନ ସାମଗ୍ରୀ ସଂରକ୍ଷିତ ରଖାଯିବ ଓ କଳାକାରମାନଙ୍କ କଳା ପ୍ରଦର୍ଶନ ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର ହେବ। ମାତ୍ର ଜାଗା ଚିହ୍ନଟ ହୋଇ ପାରୁ ନଥିବାରୁ ସରକାରଙ୍କ ଠାରୁ ଆସିଥିବା ଅନୁଦାନ ରାଶି ମଧ୍ୟ ଖର୍ଚ ହୋଇ ପାରୁ ନାହିଁ କି ସଂସ୍କୃତି ଭବନ ନିର୍ମାଣ ହୋଇ ପାରୁ ନାହିଁ। ଷ୍ଟାଡିୟମକୁ ଲାଗି ରହିଥିବା ଜମିରେ ସଂସ୍କୃତି ଭବନ ନିର୍ମାଣ ପାଇଁ ପ୍ରଥମେ ଜମି ଚିହ୍ନଟ କରାଯାଇଥିଲା। ମାତ୍ର ଉକ୍ତ ଜାଗାରେ ପାର୍କିଂ ବ୍ୟବସ୍ଥା ନଥିବା ବେଳେ ସଂସ୍କୃତି ଭବନ ନିର୍ମାଣ ପାଇଁ ଜଗା ଅଣ୍ଟୁ ନାହିଁ। ସଦର ମହକୁମାରେ ସୁବିଧାଜନକ ଜାଗା ମିଳୁ ନଥିବାରୁ କାମ ଆରମ୍ଭ ହୋଇ ପାରୁ ନାହିଁ। ଜାଗା ଚିହ୍ନଟ କରିବା ଓ ନିର୍ମାଣ କାମ ଆରମ୍ଭ କରିବା ନେଇ ମଧ୍ୟ ଛକାପଂଝା ଲାଗି ରହିଥିବା ଅଭିଯୋଗ ହେଉଛି। ଏ ବିଷୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶିଶିର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ପୂର୍ତ୍ତ ବିଭାଗକୁ ଟଙ୍କା ଦିଆଯାଇଛି; ସେମାନେ ଉକ୍ତ କାମ କରିବେ। ଯଦିଓ ଏହା ସଂସ୍କୃତି ଭବନ ହେବ ମାତ୍ର ଏଥିରେ ତାଙ୍କର କିଛି ସଂପୃକ୍ତି ନାହିଁ ବୋଲି ଶ୍ରୀ ସାହୁ କହିଥିଲେ।

ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ତ୍ରିପାଠୀଙ୍କୁ ସଂସ୍କୃତି ଭବନର ଅଗ୍ରଗତି ସଂପର୍କରେ ପଚାରିବାରୁ ସେ କହିଥିଲେ ଯେ ସରକାରଙ୍କ ପାଖରୁ ଟୋକନ ମନି ଭାବରେ ୨୦ ଲକ୍ଷ ଟଙ୍କା ଆସିଛି; ମାତ୍ର ଯେଉଁ ଷ୍ଟ୍ରକ୍ଚରରେ ସଂସ୍କୃତି ଭବନ ନିର୍ମାଣ ହେବା ପାଇଁ ଯୋଜନା ରହିଛି ସେହି ଅନୁସାରେ ଜାଗା ମିଳୁ ନଥିବାରୁ କାମ ଆରମ୍ଭ ହୋଇ ପାରୁ ନାହିଁ; ଜାଗା ମିଳିବା ପରେ କାମ ଆରମ୍ଭ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ସମ୍ବନ୍ଧିତ ଖବର