୫ବର୍ଷ ହେଲା ଅଧାପନ୍ତରିଆ ଝଞ୍ଜାବତୀ ପୋଲ ନିର୍ମାଣ କାର୍ଯ୍ୟ; ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ନହେଲେ ଚୁକ୍ତିନାମା ରଦ୍ଦ

ନାରାୟଣପାଟଣା: କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଆଲମଣ୍ଡା ନିକଟ ଦେଇ ବୋହି ଯାଇଥିବା ଝଞ୍ଜାବତୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ପ୍ରାୟ ୫ବର୍ଷ ତଳେ ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଧା ବି ଶେଷ ହୋଇନଥିବାରୁ ସଂପୂର୍ଣ୍ଣ ହେବାରେ ଆଶଂକା ଦେଖାଦେଇଛି। ଅନ୍ୟପଟେ ନିର୍ମାଣ କାର୍ଯ୍ୟ ବହୁ ଅନିୟମିତତାରେ ଚାଲିଥିଲା ବେଳେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୂଚନ୍ଦ୍ରିକାରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଚାଲିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ଧୁଗାଁ ଠାରୁ ପ୍ରାୟ ୧୭କିମି ଦୂର ଲକ୍ଷ୍ମୀପୁର-ପାର୍ବତୀପୁରମ୍ (ପିଏଲ୍) ରାସ୍ତାର ଆଲମଣ୍ଡା ନିକଟ ଦେଇ ବୋହି ଯାଇଥିବା ଝଞ୍ଜାବତୀ ନଦୀ ପୋଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ୨୦୧୫-୧୬ରେ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ପାଇ ଆସିବା ପରେ ଗତ ୨୦୧୬-୧୭ ମସିହାରେ କେନ୍ଦ୍ରୀୟ ରାସ୍ତା ପାଣ୍ଠି (ସିଆରଏଫ)ରୁ ପ୍ରାୟ ୮କୋଟି ୭୦ଲକ୍ଷ ୨୯୭୩ ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ସୁବାସ ଚନ୍ଦ୍ର ମଣ୍ଡଳ ନାମକ ଠିକାଦାରଙ୍କ ସହ ପୂର୍ତ୍ତ ବିଭାଗ ମଧ୍ୟରେ ଚିକ୍ତୁନାମା ହୋଇଥିଲା। ପ୍ରାୟ ୧୨୫ ମିଟର ଲମ୍ବର ଏହି ପୋଲ ୬ଟି ପିଲର ଏବଂ ୨୫.୩୬ ମିଟର ଲମ୍ବରେ ୫ଟି ସ୍ପାନ୍ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି। ଗତ ୨୦୧୬ ଏପ୍ରିଲ ୧୪ତାରିଖରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ ଅକ୍ଟୋବର ୧୩ ତାରିଖରେ ଶେଷ କରିବାକୁ ଚୁକ୍ତିନାମା ହୋଇଥିଲା। ତେବେ ଅତି ମନ୍ଥର ଗତିରେ କାମ ଚାଲିଥିବାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପିଲର ଉଠିପାରିନାହିଁ।

୫ଟି ସ୍ପାନ୍ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଦୁଇଟି ସ୍ପାନ୍ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ନିର୍ମାଣ କାର୍ଯ୍ୟରେ ମଧ୍ୟ ଅନିୟମିତତା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲ ନିର୍ମାଣ ସ୍ଥଳରେ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ସୂଚନା ଫଳକ ଲଗାଯାଇନାହିଁ। ଯାହାଦ୍ବାରା କୌଣସି ଲୋକ ଏହି ପୋଲର କାର୍ଯ୍ୟସୂଚୀ ଏବଂ ଅନ୍ୟ ତଥ୍ୟ ଜାଣି ପାରୁନାହାଁନ୍ତି। କେବଳ ଏତିକି ନୁହେଁ ବିଗତ ଦିନରେ ବର୍ଷା ଋତୁରେ ନଦୀରେ ବନ୍ୟା ପାଣି ଆସିବାରୁ ନିର୍ମାଣ ହୋଇଥିବା ଗୋଟିଏ ସ୍ପାନ୍ ନଦୀରେ ଭାସିଯାଇଥିଲା। ଏହି ଅଞ୍ଚଳ ଆନ୍ଧ୍ର ସୀମାନ୍ତବର୍ତ୍ତୀ ହୋଇଥିଲା ବେଳେ ଠିକାଦାର ଜଣକ ଆନ୍ଧ୍ରରୁ ଶ୍ରମିକ ଆଣି ନିୟୋଜିତ କରିଥିବାରୁ ସ୍ଥାନୀୟ ଶ୍ରମିକମାନଙ୍କୁ କାମଧନ୍ଦା ମିଳୁନଥିବା ଅଭିଯୋଗ ହୋଇଛି। ସେହିପରି ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀ ନିର୍ମାଣ ସ୍ଥଳକୁ ଆସୁନଥିବାରୁ ଠିକାଦାର ନିଜ ଇଛାନୁସାରେ କାମ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ପଚାରି ବୁଝିବାରୁ ପୋଲ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଠିକାଦାରଙ୍କୁ ତାଗିଦ କରାଯାଇଥିଲା। ପରେ ଠିକାଦାର ଗତ ଜାନୁଆରି ମାସରେ ଚଳିତ ବର୍ଷ ଜୁନ୍ ସୁଦ୍ଧା ଶେଷ କରିବେ ବୋଲି ଲିଖିତ ଆକାରରେ ଦେଇଛନ୍ତି। ଯଦି ସେହି ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ନହୁଏ ତାହେଲେ ଠିକାଦାରଙ୍କ ଚୁକ୍ତିନାମା ରଦ୍ଦ ପାଇଁ ମୁଖ୍ୟଯନ୍ତ୍ରୀଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର