ବଣ୍ଡାଘାଟିରେ ବିଏସଏଫର ଜନସମ୍ପର୍କ ଶିବିର ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ରହିଥିବା ଅଣ୍ଡ୍ରାହାଲ ଠାରେ ୬୫ ବିଏସଏଫ ବାଟାଲିୟନ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଡକୋଟି, କୋରାପୁଟ ଡିଆଇଜି ମଦନ ଲାଲ, କମାଣ୍ଡାଣ୍ଟ ଟି. ନରସିମ୍‌ହା ରେଡ୍ଡୀ ପ୍ରମୁଖ ପ୍ରଥମେ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ଠାରେ ରହିଥିବା ବିଏସଏଫ କ୍ୟାମ୍ପର ତଦାରଖ କରିଥିଲେ। ଏହି ଦୁର୍ଗମ ଅଞ୍ଚଳରେ ବିଏସଏଫ ଯବାନଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ। ବଣ୍ଡାଘାଟିରେ ବିଏସଏଫ ଯବାନ ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ମନ ଜିଣିବାରେ ସଫଳ ହୋଇଥିବା ନେଇ ଆଇଜି ଖୁସି ଜାହିର କରିଥିଲେ।

ଏହି ଅଞ୍ଚଳରେ ଯେପରି ଶାନ୍ତି ରହିବ ସେଥିପ୍ରତି ଯବାନଙ୍କୁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲୋକଙ୍କୁ ସବୁବେଳେ ସହଯୋଗ କରିବା ସହ ମାନବିକତା ଦେଖାଇବାକୁ ମଧ୍ୟ ଉପଦେଶ ଦେଇଥିଲେ। ଅଣ୍ଡ୍ରାହାଲ ଅଞ୍ଚଳ ଶତାଧିକ ବଣ୍ଡା ସମ୍ପ୍ରଦାୟର ଲୋକେ ଏହି ଜନ ସମ୍ପର୍କ ଶିବିରରେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ବିଏସଏଫ ତରଫରୁ ଦୈନନ୍ଦୀନ ସାମଗ୍ରୀ ସହ ଶାଢୀ, ଲୁଙ୍ଗି, କଂସାବାସନ, ଖେଳ ସାମଗ୍ରୀ, ସ୍କୁଲ ପିଲାଙ୍କୁ ବହିପତ୍ର, ବ୍ୟାଗ, ପେନ, ପେନସିଲ ଇତ୍ୟାଦି ପ୍ରଦାନ କରିଥିଲେ। ଯୁବଗୋଷ୍ଠୀଙ୍କୁ ମଧ୍ୟ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା।

Sambad

ଏହି ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବଣ୍ଡା ପୁରୁଷ ମହିଳା ମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ଗ୍ରହଣ କରିଥିଲେ। ସେହିପରି ଉପସ୍ଥିତ ଥିବା ଲୋକ ମାନଙ୍କୁ ବିଏସଏଫ ତରଫରୁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ମାଓବାଦୀଙ୍କୁ ଆଗକୁ ସମର୍ଥନ ନକରି ଯବାନଙ୍କୁ ସହଯୋଗ କରିବା ପାଇଁ କୁହାଯାଇଥିଲା। ଯେଉଁମାନେ ହିଂସା ପଥରେ ଚାଲିଯାଇଛନ୍ତି ସେମାନେ ମୁଖ୍ୟସ୍ରୋତକୁ ଫେରିଆସନ୍ତୁ ବୋଲି ବିଏସଏଫ ଆଇଜି ଅନୁରୋଧ କରିଥିଲେ। ସରକାରଙ୍କର ସମସ୍ତ ସୁବିଧା ସେମାନଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯୁବକ ମାନଙ୍କୁ ପଥଭ୍ରଷ୍ଟ ନହେବାକୁ ପରାମର୍ଶ ଦେଇଥିଲେ। ପିଲା ମାନଙ୍କୁ ପାଠ ପଢି ଜଣେ ଜଣେ ଡାକ୍ତର ଇଞ୍ଜିନିୟର ହେବା ସହ ଦେଶ ପାଇଁ ମଧ୍ୟ ନିଜକୁ ସମର୍ପିତ କରିବା ପାଇଁ କୁହାଯାଇଥିଲା। ବଣ୍ଡା ଆଦିମ ଜନଜାତି ହୋଇଥିବାରୁ ସେମାନଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି। ଏହାର ଫାଇଦା ଉଠାଇବାକୁ କୁହାଯାଇଥିଲା। ଏବେ ବଣ୍ଡାଘାଟିକୁ ରାସ୍ତା ହେବା ସହ ସମସ୍ତ ସରକାରୀ ସୁବିଧା ପହଞ୍ଚି ପାରୁଛି। ଆଗକୁ ମଧ୍ୟ ବିଏସଏଫ ଲୋକଙ୍କ ସହ ମିଶି ଏହି ଅଞ୍ଚଳର ବିକାଶରେ ଭାଗିଦାରୀ ହେବ ବୋଲି କହିଥିଲେ।

 

ସମ୍ବନ୍ଧିତ ଖବର