ଆଜି ସିମେଣ୍ଟ କାରଖାନାର ଜନଶୁଣାଣି: ଦିନକ ପୂର୍ବରୁ ଆଦିବାସୀ ମିଳିତ ମଞ୍ଚର ବିରୋଧ

ମାଲକାନଗିରି: ଆଜି ମାଲକାନଗିରି ବ୍ଲକ ତଥା ଥାନା ଅନ୍ତର୍ଗତ ମାଟାପାକା ଠାରେ ସିମେଣ୍ଟଟ କାରଖାନାକୁ ନେଇ ଏକ ଜନଶୁଣାଣିର କାର୍ଯ୍ୟକ୍ରମ ରହିଛି। ଏହି ଜନଶୁଣାଣି ଯେଭଳି ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହେବ ସେନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଡାଲମିଆ ନାମକ ଏକ ଘରୋଇ କମ୍ପାନି ଏଠାରେ ସିମେଣ୍ଟ କାରଖାନା ନିର୍ମାଣ କରିବ। ଏହାକୁ ଯେପରି ସଫଳ ହେବ ସେନେଇ ପୁଲିସ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦ ପ୍ଲାଟୁନ ପୁଲିସ ଫୋର୍ସକୁ ଆଣିଛି। ତେବେ ଏହାର ଦିନକୁ ପୂର୍ବରୁ ଆଦିବାସୀ ମିଳିତ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ବିରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ତରଫରୁ ଶରତ ଚନ୍ଦ୍ର ବୁରୁଦା, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ସିପିଆଇଏମର ଜୋନ ସଂପାଦକ ବ୍ରଜ ମାଝୀ, କୋୟା ସଂପ୍ରଦାୟର ସଭାପତି କୃଷ୍ଣ ବୁରୁଦା ପ୍ରମୁଖ ଉପସ୍ଥିତ ଥିଲେ। ଏହି ମଞ୍ଚର କହିବା ହେଲା ଯେଉଁ କମ୍ପାନି ଆସି ଏଠାରେ ସିମେଣ୍ଟ କାରଖାନା ନିର୍ମାଣ କରୁଛି ତାହାକୁ ସ୍ବାଗତ କରାଯାଉଛି। କିନ୍ତୁ ଅଗଣତାନ୍ତ୍ରିକ ପଦ୍ଧତିରେ ଜନଶୁଣାଣୀ କରାନଯାଉ ବୋଲି ଅଭିଯୋଗ କରିଥିଲେ। ପୁଲିସ ଛାଉଣିରେ ଲୋକଙ୍କୁ ଭୟଭିତ କରାଇ ଏହି ଜନଶୁଣାଣିକୁ ସଫଳ କରିବାକୁ ଚେଷ୍ଟା କରାଯାଉଛି।

ଲୋକଙ୍କ ମତ ନେବା ସହ ସେହି ଅଂଚଳରେ କେତେ ଲୋକ ବିସ୍ଥାପିତ ହେବେ ଏବଂ ତାଂକୁ କେତେ କ୍ଷତି ପୂରଣ ଦିଆଯାଉଛି ସେସବୁର ହିସାବ ଲୋକଙ୍କ ନିକଟରେ ରଖିବା କଥା କିନ୍ତୁ ଏଭଳି କରାନଯାଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ସରକାରଙ୍କର ନିର୍ଦେଶରେ ଏଭଲି ଅଗଣତାନ୍ତ୍ରିକ ହିସାବରେ କାମ କରୁଛନ୍ତି। କାରଖାନା ହେଲେ ଲୋକେ କାମ ପାଇବେ ଏହାକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଯେଭଳି ଢଙ୍ଗରେ ଜନଶୁଣାଣି କରାଯାଉଛି ତାହାକୁ ବିରୋଧ କରୁଛୁ ବୋଲି ଏହି ମଞ୍ଚ କହିଥିଲା। ଆସନ୍ତା ୨୦ ତାରିଖରେ ଜିଲ୍ଲାର ସବୁ ଆଦିବାସୀ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇ ଏହାକୁ ନେଇ ଆଲୋଚନା କରାଯିବ। ପ୍ରତ୍ୟେକ ଘରର ଜଣକୁ ଜନଶୁଣାଣିରେ ଭାଗ ନେବାକୁ କୁହାଯାଇଛି, ତାହା କଣ ପାଇଁ। ଭୋଟ ଦେଲାବେଳେ ତ ସମସ୍ତେ ଭୋଟ ଦିଅନ୍ତୁ ବୋଲି ଆହ୍ବାନ ଦିଆଯାଉଛି।ଏଥିରେ କାହିଁକି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ତେଣୁ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ ବୋଲି ମଞ୍ଚ ଅଭିଯୋଗ କରିଥିଲା। ବାହାର ଲୋକଙ୍କୁ ଜନଶୁଣାଣିରେ ଭର୍ତ୍ତି କରାଯାଉନାହିଁ। କାଳେ କୌଣସି ବିଭ୍ରାଟ ହେବ ତେଣୁ ଅତି ଚୁତୁରତାର ସହ ସମସ୍ତ ବ୍ୟବସ୍ଥା କରାଯାଉଛି। ପ୍ରଶାସନର ଏଭଳି ଚାଲକୁ କେବେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଥିଲା। ତେବେ ଆଗାମୀ ଦିନରେ ସିମେଣ୍ଟ କାରଖାନାକୁ ନେଇ କି ପଦକ୍ଷେପ ନିଆଯାଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର