ଶିଶୁ ବିକ୍ରି ଘଟଣା: ପହଁଞ୍ଚିଲା ଚାଇଲଡ଼ ଲାଇନ, ଗଛ ମୂଳେ ଆଶ୍ରୟ ନେଇଛନ୍ତି ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ସପ୍ତଧାରା ଗାଁରେ ୪ ମାସର ଶିଶୁପୁତ୍ର ବିକ୍ରି ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ଚାଇଲଡ଼ ଲାଇନ। ବିକ୍ରି କରାଯାଇଥିବା ଶିଶୁ ରାଜାକୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଲେ ଚାଇଲଡ଼ ଲାଇନ।
ଆଜି ମୃତ ସୋମନାଥ ଖିଲ ପରିବାର ପାଖକୁ ପହଁଞ୍ଚିବା ବେଳକୁ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗଛ ମୂଳରେ କୁନି ପିଲାଙ୍କ ସହ ଶୀତ କାକରରେ ଦିନ କାଟୁଛନ୍ତି ପରିବାରର ଲୋକ। ଗୋଟିଏ ପଟେ ଜୀବଜନ୍ତୁଙ୍କ ଭୟ ଅନ୍ୟପଟେ ହାଡ଼ଭଙ୍ଗା ଶୀତର ପ୍ରଭାବ। ପରିବାର ଦାରିଦ୍ର୍ୟ ଏସବୁକୁ ଆଉ କିଛି ଭୃକ୍ଷେପ ନାହିଁ। ଖାଇବା ପାଇଁ ପାଖରେ ମାଗିଯାଚି ଆଣିଥିବା ଦିମୁଠା ଚାଉଳ ତା ସାଙ୍ଗକୁ ପକୋଡା ପନିପରିବା ଦୁଇ ଚାରିଟା। ଏଥିରେ ଚଳୁଛି ୬ ପ୍ରାଣୀ। ଏଭଳି ଅବସ୍ଥା ଦେଖିଛି ବା କିଏ। ସବୁ ସହିବାକୁ ମନସ୍ଥ କରିନେଇଛି ଏହି ଦୁଃଖୀ ପରିବାର। ନା ଏମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଅଛି ନା ସରକାରଙ୍କ ବିପିଏଲ ଚାଉଳ କାର୍ଡ। ଏଭଳି ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ପରିବାର।
ତେବେ ପରିବାର ଲୋକ କହିଛନ୍ତି ବିକ୍ରି ହୋଇଥିବା ଶିଶୁ ପୁତ୍ର ରାଜକୁ ଉଦ୍ଧାର କରିବା ସହ ଘରେ ଥିବା ଆଉ ୪ ପିଲାଙ୍କୁ ସରକାର ନେଇ ସେମାନଙ୍କୁ ପାଠ ପଢାଇ ମଣିଷ କରାନ୍ତୁ। କାରଣ ନିଜେ ବଞ୍ଚିବା କଷ୍ଟକର। ଆଉ ଏମାନଙ୍କୁ କେମିତି ବଞ୍ଚେଇବି ବୋଲି ଜେଜେମା କହିଛନ୍ତି। ପରିବାର ଲୋକଙ୍କୁ ପଚରାଉଚରା ପରେ ଜଣା ପଡ଼ିଲା ଯେ ରାଜାକୁ କୁଡୁମୁଲୁଗୁମା ଠାରେ ହଜାର ଟଙ୍କା ରେ ବିକ୍ରି କରିଛନ୍ତି ବାପା-ମା’ତାକୁ ନେଇ ଚାଇଲଡ଼ ଲାଇନ ଅଧିକ ତଦନ୍ତ କରୁଛି।

 

ସୂଚନା‌େଯୋଗ୍ୟ, ସୋମନାଥଙ୍କ ପରିବାର କହିଲେ ସ୍ତ୍ରୀ ଓ ୫ ସନ୍ତାନ। ଗତ ୪ ମାସ ‌ତଳେ ସୋମନାଥ କନିଷ୍ଠ ସନ୍ତାନର ପିତା ହୋଇଥିଲେ। କିନ୍ତୁ ଅଭାବ ଅନଟନ ଯୋଗୁଁ ୬ ପ୍ରାଣୀ କୁଟୁମ୍ବକୁ ପୋଷି ପାରୁ ନଥିଲେ। ଶେଷରେ ସେ ୪ ମାସର କୁନି ଛୁଆକୁ ୧୦୦୦ ଟଙ୍କାରେ ବିକ୍ରି କରିଦେଲେ। ଏହି ଟଙ୍କାରେ ପରିବାର କିଛି ଦିନ ଚଳିଲା। କିନ୍ତୁ ଟଙ୍କା ଶେଷ ହୋଇଯିବା ପରେ ସୋମନାଥଙ୍କ ପରିବାରକୁ ପୁଣି ଅଭାବ ଲେଉଟିଲା। ଶେଷରେ ସୋମନାଥ ଗତକାଲି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର